Unknown

ପୌଗଣ୍ଡଳୀଳା

ଶ୍ରୀ ବୈଷ୍ଣବଚରଣ ଦାସ

 

ଭୂମିକା

ସହୃଦୟ ଭକ୍ତବୃନ୍ଦ !

ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସଙ୍ଗେ ସଙ୍ଗେ ‘‘ପୌଗଣ୍ଡଲୀଳା’’ରେ ମାୟାମୟ ଭଗବାନ୍‍ କେତେଗୁଡ଼ିଏ ଲୀଳା ପ୍ରକାଶ କରିଥିଲେ । ବାତ୍ସଲ୍ୟ, ସଖ୍ୟ, ମଧୁର ଏହି ତିନି ରସରେ ଉକ୍ତ ପୌଗଣ୍ଡଲୀଳାମାନ ପ୍ରକଟ ହୋଇଥିଲା । ଆପଣମାନେ ଅଭିନୟରୁ ଅବଶ୍ୟ ବୁଝି ପାରିଥିବେ, ଶ୍ରୀକୃଷ୍ଣଙ୍କ ଫୁଲ ଦୋଳି ଉତ୍ସବ, ଘାଟସଧା, ନାବକେଳି ପ୍ରଭୃତି ବିଷୟ ଗୁଡ଼ିକ କିପରି ଚିତ୍ତାକର୍ଷକ ଓ ଭାବପୂର୍ଣ୍ଣ । ପ୍ରକାଶ ଥାଉକି ମୋର କେତେକ ସ୍ନେହୀ ବନ୍ଧୁମାନଙ୍କ ଅନୁରୋଧ କ୍ରମେ ଏହି ‘‘ପୌଗଣ୍ଡଲୀଳା’’ଟି ମୁଦ୍ରଣ କରାଇବା ନିମିତ୍ତ ବାବୁ ଶ୍ରୀ ଦାଶରଥିଦାସଙ୍କୁ ଶ୍ରଦ୍ଧା ସହିତ ପ୍ରଦାନ କଲି-। ଅନ୍ୟାନ୍ୟ ନାଟକମାନଙ୍କ ପ୍ରତି ଆପଣମାନଙ୍କର ଯେପରି ଆଦର ଜନ୍ମିଅଛି, ଆଶାକରେ ଏ ନାଟକଖଣ୍ଡିକ ପ୍ରତି ତଦ୍ରୁପ କୃପାଦୃଷ୍ଟି ନିକ୍ଷେପ କରିବେ । ଇତି ।

ଆପଣଙ୍କର କୃପାଭିକ୍ଷୁ

ବାବାଜୀ ଶ୍ରୀ ବୈଷ୍ଣବଚରଣ ଦାସ ।

 

 

ନାଟ୍ୟୋଲିଖିତ ବ୍ୟକ୍ତିମାନଙ୍କ ପରିଚୟ

ପୁରୁଷଗଣ

ନନ୍ଦ –

ଗୋପରାଜ

ଉପନନ୍ଦ –

ରାଜଭ୍ରାତା

ବସୁନନ୍ଦ –

ରାଜଭ୍ରାତା

ସୁନନ୍ଦ –

ରାଜଭ୍ରାତା

ମହାନନ୍ଦ –

ରାଜଭ୍ରାତା

ଭଦ୍ରସେନ –

ରାଜମନ୍ତ୍ରୀ

ଲୀଳାଧର –

ରାଜପାତ୍ର

ମହାଭୋଇ –

ବ୍ରଜର ଗୁଣିଆ

ଶ୍ରୀକୃଷ୍ଣ –

ନନ୍ଦନନ୍ଦନ

ବଳରାମ –

ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠଭ୍ରାତା

ସୁବଳ –

ଶ୍ରୀକୃଷ୍ଣଙ୍କ ପ୍ରିୟନର୍ମସଖା

ମଧୁମଙ୍ଗଳ –

ଶ୍ରୀକୃଷ୍ଣଙ୍କ ଅନ୍ତରସଖା

ଶ୍ରୀଦାମ –

ଶ୍ରୀକୃଷ୍ଣଙ୍କ ପ୍ରିୟସଖା

ଦାମ –

ଶ୍ରୀକୃଷ୍ଣଙ୍କ ପ୍ରିୟସଖା

ସୁଦାମ -

ଶ୍ରୀକୃଷ୍ଣଙ୍କ ପ୍ରିୟସଖା

ମାୟାଧୀବର –

ଶ୍ରୀକୃଷ୍ଣ

ସ୍ତ୍ରୀଗଣ

ଯଶୋଦା –

ଶ୍ରୀକୃଷ୍ଣଙ୍କ ଜନନୀ

ରୋହିଣୀ –

ବଳରାମଙ୍କ ଜନନୀ

ପ୍ରତିବେଶିନୀ –

ଗୋପିକାଗଣ

ଯଶୋଦାଙ୍କ ଦାସୀଗଣ

ଚନ୍ଦ୍ରାବଳୀ –

ଗୋବର୍ଦ୍ଧନମଲ୍ଲ ପତ୍ନୀ

କୁନ୍ଦଲତା –

ଶ୍ରୀକୃଷ୍ଣଙ୍କ ଭ୍ରାତୃଜାୟା

ଚମ୍ପିମା –

ଜନୈକା ବିଧବା ଗୋପୀ ଅନ୍ୟାନ୍ୟ ଗୋପିନୀଗଣ ।

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ – ନନ୍ଦରାଜ ସଭା

(ନନ୍ଦ, ଉପନନ୍ଦ, ବାସୁନନ୍ଦ, ସୁନନ୍ଦ, ମହାନନ୍ଦ ପ୍ରଭୃତି ଗୋପାଳମାନେ ଆସୀନ ।)

 

ନନ୍ଦ –

ଭାଇମାନେ ! କୃଷ୍ଣ ମୋର ନଥିଲେ ଏତେ ବିପଦରୁ ରକ୍ଷା ପାଇବାକୁ ମହାକଷ୍ଟ ହୋଇଥାନ୍ତା ।

 

 

ଉପନନ୍ଦ-

ଗୋପରାଜ ! ଆପଣ ବଡ଼ ସୁକୃତବନ୍ତ, ନୋହେଲେ କି ଏପରି ପୁତ୍ର ପାଇଥାନ୍ତ, ଯାହାହେଉ ଭଗବାନ ତାକୁ ଚିରଜୀବୀ କରନ୍ତୁ ।

 

 

ବସୁନନ୍ଦ –

ବ୍ରଜେଶ୍ୱର ! ଶ୍ରୀକୃଷ୍ଣ ଆମ୍ଭମାନଙ୍କର ନୟନ-ସମ୍ପତ୍ତି, ସେ ସର୍ବ ଶୁଭରେ ଥାଉ ।

 

 

ସୁନନ୍ଦ –

ଭାଇ ! ଜାଣିଛତ, କେତେକେତେ ବିପଦରୁ ସେ ନିଜେ ରକ୍ଷା ପାଇଛି, କ୍ଷୀରପାନ ଛଳରେ ପୁତନା ରାକ୍ଷସୀକି ବଧି ତା ଦଣ୍ଡରୁ ଉବୁରିଲା, ତୃଣା ଶକଟା ପ୍ରଭୃତି ଦୁଷ୍ଟ ଦୈତ୍ୟମାନଙ୍କୁ ବିନାଶ କରି ସେମାନଙ୍କ ଦାଉରୁ ମୁକୁଳିଲା, ପୁଣି ଜାମଳାର୍ଜୁନ ବୃକ୍ଷ ଉପୁଡ଼ି ପଡ଼ିବାରୁ ଏ ଦଣ୍ଡରୁ ରକ୍ଷା ହେଲା । ଏହିପରି ଅନେକ ବିପଦରୁ ଭଗବାନ ରକ୍ଷା କରିଛନ୍ତି, ଯାହାହେଉ କୃଷ୍ଣଙ୍କୁ ଆଉ ଯେପରି ଋିଷ୍ଟ ନ ପଡ଼େ ସମସ୍ତେ ପ୍ରଭୁଙ୍କୁ ଜଣାଅ ।

 

 

ମହାନନ୍ଦ –

ଭାଇ ! ମୋର ଗୋଟିଏ ସାମାନ୍ୟ କଥା କହିବାକୁ ଅଛି, ପଣ୍ଡିତମାନେ କହନ୍ତି ଯେଉଁଠି ବହୁତ ରିଷ୍ଟ ଉତ୍ପାତ ହୁଏ, ସେ ସ୍ଥାନରେ ବାସ କରି ରହିବା ଅନୁଚିତ ।

 

 

ବସୁନନ୍ଦ –

ଭାଇ ମହାନନ୍ଦ ! ଯାହା କହିଲ ଯଥାର୍ଥ । ମହତ ବ୍ୟକ୍ତିମାନଙ୍କ ବଚନ ପ୍ରତି ପାଳିବା ଆମ୍ଭମାନଙ୍କର କର୍ତ୍ତବ୍ୟ; ବେଳକୁ ବେଳ ଭାରି ଭୟ ଜାତ ହେଉଛି, ଚାଲ ସମସ୍ତେ ଯାଇ ଯମୁନା କୂଳରେ ଘର କରି ରହିବା ।

 

 

ସୁନନ୍ଦ –

ଭାଇ ! ଏପରି ଗୋଟିଏ ସ୍ଥାନ ଦେଖ, ଯେମନ୍ତେ କି ଗୋବର୍ଦ୍ଧନ ଆଉ ବୃନ୍ଦାବନ ଏ ଦୁଇ ସ୍ଥାନର ମଝି ହେବ । ଗାଈ ବାଛୁରିମାନଙ୍କୁ ଚରିବାକୁ ସୁବିଧା ମିଳିବ ।

 

 

ସୁନନ୍ଦ –

ଭାଇ ! ତୁମ୍ଭେମାନେ ସମସ୍ତେ ବିଚାର କରି ଗୋଟିଏ ସ୍ଥାନ ଠିକଣା କର, ଯେପରିକି ସମସ୍ତଙ୍କର ମଙ୍ଗଳ ହେବ ।

 

 

ଉପନନ୍ଦ –

ବ୍ରଜେଶ୍ଵର ! ନନ୍ଦୀଶ୍ଵର ପର୍ବତଟି ଅତିଶୟ ମନୋହର ସ୍ଥାନ, ଏହି ସ୍ଥାନଟି ସବୁଠାକୁ ନିକଟ ହେବ । ନଗ୍ରରେ ଘୋଷଣା କରାଇ ଦିଅନ୍ତୁ ଯେ; ସମସ୍ତେ ସେହିଠାରେ ଯାଇଁ କରିବାକୁ ହେବ ।

 

 

ନନ୍ଦ –

ଭାଇ ! ଏହା ତୁମ୍ଭକୁ ଲାଗିଲା, କାଲି ସକାଳୁ ଡଗରାକୁ ବୁଝାଇ ଦିଅ, ସେ ଗୋପପୁରରେ ପ୍ରତି ଘରେ ଘରେ ଦୁଇ ଘୋଷଣା କରାଇଦେଉ, ଯେପରିକି କେହି ଯିବାପାଇଁ ନାସ୍ତି ନ କରନ୍ତି, ଗାଈ ବାଛୁରି, ଶକା, ବାହୁଙ୍ଗୀ ପ୍ରଭୃତ୍ତି ଯାହାର ଯାହା ଅଛି ସବୁ ଧରି ନନ୍ଦୀଶ୍ଵର ପର୍ବତଠାକୁ ଯିବାକୁ ସହଜ ହେବେ, ଏବେ ସଭା ଭଙ୍ଗ କର ।

 

 

ସମସ୍ତେ –

ଯେ ଆଜ୍ଞା । (ଏହା କହି ସମସ୍ତେ ଉଠି ପ୍ରସ୍ଥାନ) ପଟ୍ଟ ପରିବର୍ତ୍ତନ ।

 

ଦ୍ଵୀତୀୟ ଦୃଶ୍ୟ – ରାଜ ଅନ୍ତଃପୁର

(ଯଶୋଦା ଓ ରୋହିଣୀଙ୍କ ପ୍ରବେଶ)

 

ଯଶୋଦା –

ରୋହିଣୀ ନାନି ! ମୋ କାହ୍ନୁର ଗୋଟିଏ ଆଚମ୍ବିତ କଥା ଶୁଣିଚଟି ?

 

 

ରୋହିଣୀ -

କଅଣ ଯୋଷୋଦେ !

 

 

ଯଶୋଦା –

ଗୋଟିଏ ଶବରଣୀ ଏ ଗୋପଦାଣ୍ଡରେ କୋଳି ପସରା ଘେନି ବୁଲୁଥିଲା, କାହ୍ନୁ ମୋର ଧାନ ଅଞ୍ଜଳିଏ ନେଇ ତା ଠାରୁ କୋଳି କିଣିବା ମାତ୍ରେ ସେ ଧାନ ସହିତେ ଶବରଣୀର କୋଳି ପସରାଟି ଯାକ ପରା ସୁବର୍ଣ୍ଣ ହେଇଗଲା ?

 

 

ରୋହିଣୀ -

ଆଗୋ ! ଏ କଥା ମୁଁ କେତେ ପିଲାଙ୍କ ମୁହଁରୁ ଶୁଣି ସତ କରୁ ନ ଥିଲି, ଅର୍ଜୁନା ମା ଆଉ କିଙ୍କିଣି ମା କେଉଁଠି ୟା ସାକ୍ଷାତରେ ଦେଖିଛନ୍ତି ବୋଲି ମୋତେ କହିବାରୁ ପରତେ ଗଲି, ଯାହାହେଉ ଯଶୋଦେ ! ନୀଳମଣିର ଏଇପରି ଭଲଗୁଣ ସଂସାରେ ବିକ୍ଷାତ ହେଉଥାଉ ।

 

 

ଯଶୋଦା –

ନାନି ! ତମେ ବଳରାମକୁ ବୁଝେଇ ବୁଝେଇ କୁହ, ସେ ଯେପରି ଦଣ୍ଡେ କି ନିମିଶେ କାହ୍ନୁକୁ ପାଖରୁ ଅନ୍ତର କରିବ ନାହିଁ, ଏହା ବଳରାମ ଭରସାରେ ମୁଁ ଅଚିନ୍ତା ହୋଇ ଘରେ ରହିଥାଏଁ, ନଇଲେ ଏ ଗୋପଶିଶୁମାନେ ଯେପରି ଦୁଷ୍ଟାମି କରନ୍ତି କାହ୍ନୁ ତାଙ୍କ ସାଙ୍ଗରେ ଖେଳି ବୁଲିଯିବାପାଇଁ ମତେ ହାଦେ ଡର ଲାଗୁଥାଏ, ତମେ ବଳିକି ଏଇ କଥା କହିବ ସେ ଯେମିତି ପ୍ରତିକ୍ଷଣରେ କାହ୍ନୁର ସଙ୍ଗ ନ ଛାଡ଼େ ।

 

 

ରୋହିଣୀ -

ଯଶୋଦେ ! ମୁଁ ମଧ୍ୟ ସବୁବେଳେ ମନେ ମନେ ପାଞ୍ଚୁଥାଏ, କୃଷ୍ଣ ବଳରାମ ଦୁଇଭାଇ ଯେପରି କ୍ଷଣମାତ୍ର ସଙ୍ଗ ଛଡ଼ାଛଡ଼ି ନ ହୁଅନ୍ତି, ତାହାହିଁ ଆମର ମଙ୍ଗଳ । ମା ସର୍ବମଙ୍ଗଳା ଠାକୁରାଣି ଶୁଭ ଦୃଷ୍ଟିରେ ଚାହିଁ ଥାଆନ୍ତୁ, କୃଷ୍ଣ ବଳରାମ ଯେମିତି ଆଉ ରିଷ୍ଟ ନ ପଡ଼େ, ଏହି ଶୁଭକାମନା ମୋର ସବୁବେଳେ । ଯଶୋଦେ ଗୋ ! ତମେ ଯାହା କହିଲ ମୁଁ ମଧ୍ୟ ବଳରାମକୁ ଅନେକ ବୁଝେଇ କହିଚି, ପୁଣି ଆଜି ଖେଳରୁ ଆସିଲେ ବୋଧି ବାଧି କହିବି । ତମେ ମନରେ କିଛି ଚିନ୍ତା କରନା ।

 

 

ଚମ୍ପିମା –

(ପ୍ରବେଶ ପୂର୍ବକ) ଆଗୋ ! ରାଣୀମା ! ଶୁଣିଲଣି ଗୋ !

 

 

ଯଶୋଦା –

କଅଣମ ?

 

 

ଚମ୍ପିମା –

ଆଜି ସକାଳୁ ପରା ଗୋପଦାଣ୍ଡ ଯାକ ନାଗରା ଦିଆ ସଇଲାଣି ଆଉ ଏ ଗୋପପୁରରେ କେହି ରହିବେ ନାହିଁ, କୁଆଡ଼େ ନନ୍ଦୀଶ୍ଵର ପରବତ ତଳେ ଘର ଦୁଆର କରି ସମସ୍ତେ ରହିବେ, ତମେ ପରା ଗୋପରାଣୀ ! ଏତେବେଳଯାଏ କଅଣ ଏ କଥା ଶୁଣିନାଅଁ ।

 

 

ଯଶୋଦା –

ଆଗ ଚମ୍ପିମା ! ବାହାର କଥା ମୁଁ କିପରି ଜାଣିବି ? ମୋହାରାଜା କଅଣ ମନ ଭିତର କଥା ସବୁ ମତେ ଫିଟେଇ କହନ୍ତି ଯେ ଜାଣିବି ।

 

 

ରୋହିଣୀ -

ହଇ ଗୋ ଚମ୍ପିମା; ଏକଥା କଅଣ ସତ ନା; ମିଛମୋ ?

ଚମ୍ପିମା –

ଆ ମୁଁ ମିଛ କହିବି କାହିଁକିମ, ରହିଥାଅ ଏଇକ୍ଷଣି ସବୁ ଶୁଣିବ, ତେଣେ ପରା ଗୋପଦାଣ୍ଡ ଯାକ ଏ କଥା ଚହଳ ପଡ଼ିସାରିଲାଣି ।

 

 

ରୋହିଣୀ -

ଯାହେଉ, ଚମ୍ପିମା ! ଭଲକଥାଟିଏ ଖବର କଲ ।

 

(ନନ୍ଦ ଉପନନ୍ଦଙ୍କ ପ୍ରବେଶ ।)

ନନ୍ଦ –

(ଯଶୋଦାଙ୍କ ପ୍ରତି) ପ୍ରିୟେ ! ଆଜି ସବୁ ଗୋପୀ ଗୋପାଳମାନେ ନନ୍ଦୀଶ୍ଵର ପର୍ବତ ନିକଟକୁ ଯାଇ ସେଇଠାରେ ଘର ତୋଳି ରହିବାପାଇଁ କାଲି ସଭାରେ ସ୍ଥିର କରିଥିଲୁଁ । ଆଜି ସମସ୍ତେ ରଥ, ଶଗଡ଼, ବୋଝ, ଭାର ଲଗେଇ ନନ୍ଦୀଶ୍ଵର ଠାକୁ ଯିବେ, କାହ୍ନୁ ବଳରାମଙ୍କୁ ସୁବେଶ କରିଦେଇ ତୁମ୍ଭେମାନେ ଯିବାକୁ ସଜ ହୁଅ । ମୁଁ ତେଣେ ଆଉ ଗୋପମାନଙ୍କୁ ଡକାଇ ଯିବାର ଉଦଯୋଗ କରେଁ ।

 

(ଦୁହେଁ ପ୍ରସ୍ଥାନ)

ଚମ୍ପିମା –

ରାଣୀମା ! ମୋ କହିବା କଥା ସତ କି ମିଛ ବୁଝିଲତ ? ଏବେ ମୁଁ ଯାଉଚି ମୋ ପୁଅଝିଅମାନଙ୍କୁ କହିଦେବି ଶିକାବାହୁଙ୍ଗୀ ଘଡ଼ି ପତୁଲି ସବୁ ସଜ କରିବେ ।

 

(ପ୍ରସ୍ଥାନ)

ଯଶୋଦା –

(ରୋହିଣୀଙ୍କ ପ୍ରତି) ନାନି ! କାହ୍ନୁ, ବଳରାମ ଦୁହେଁ ଯାକ ଖେଳିବାକୁ ଯାଇଛନ୍ତି, ତାଙ୍କୁ ଡକେଇ ଆଣ; ମୁଁ ବେଶ ଅଳଙ୍କାର ସବୁ ବାହାର କରେ ।

 

 

ରୋହିଣୀ -

ହେଉ, ତେବେ ମୁଁ ସେ ଦୁହିଁଙ୍କୁ ଡକାଉଚି, ବୋଧହୁଏ ବାହାର ଅଗଣାରେ ଖେଳୁଚନ୍ତି ଏବେଯାଏଁ ।

 

(ପ୍ରସ୍ଥାନ)

 

 

ଯଶୋଦା –

(ସ୍ଵାଗତ) ଦଇବ ଏକା ବଳବାନ୍‍, ମୋ ପୁଅକୁ ଏ ଗୋପରେ କେତେ ବିପତ୍ତି ପଡ଼ୁଥିଲା; ପାପିଷ୍ଠ କଂସ ଦାଉରେ ମୁଁ ସର୍ବଦା ଝୁରି ହେଉଥିଲି । ଏବେ ଭଗବାନ ରକ୍ଷା କଲେ ଯାଉଚି ସଜ ଅଳଙ୍କାର ସବୁ ବାହାର କରି ରଖିବି, କାହ୍ନୁ ବଳରାମ ଆସିଲେ ବେଶ ସଜାଇଦେବି ।

 

(ଏହା କହି ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ – ଗୋପଦାଣ୍ଡ

(ନନ୍ଦରାଜାଙ୍କ ନିକଟ ଗୋପାଳମାନେ ଆନନ୍ଦରେ ଗୀତ ଗାଇ ଗାଇ ଯିବାର)

 

ଗୀତ ।

ଆସ ଆସ ଭାଇ ଗୀତ ଗାଇ ଗାଇ ଯିବା ରାଜା ନଅରକୁ ରେ ।

ଭୋଇ ମହାଭୋଇ ସମସ୍ତେ ଗଲେଣି ନନ୍ଦସିଂହ ଦୁଆରକୁରେ ।

ଶିକା ବାହୁଙ୍ଗୀ ସଜାଡ଼ି, ସର୍ବେ ଧାଇଁଛନ୍ତି ଧାଡ଼ି ଧାଡ଼ିରେ । ୧ ।

 

ଠେକି ବଡ଼ା ଘଡ଼ି, ଛନ୍ଦଣି ଦଉଡ଼ି ରୋଳ ପଘା ଖୁଣ୍ଟମାନରେ ।

ଦୁଧପଟୁଆ ଦହିହାଣ୍ଡି ଆଟକା ଛତା ବଡ଼ି ସହିତେଣ ରେ ।

ସବୁ ସଙ୍ଗେ ସଙ୍ଗେ ଧର । ପଛେ ନୋହିବାଟି ହରବର ରେ । ୨ ।

(ଧୁଡୁକି ବଜାଇ ବଜାଇ ଗୋପମାନେ ଆନନ୍ଦରେ ନୃତ୍ୟ ସହିତ ପ୍ରସ୍ଥାନ)

 

ଚତୁର୍ଥ ଦୃଶ୍ୟ – ନନ୍ଦସିଂହଦ୍ଵାର

(ନନ୍ଦ, ଉପନନ୍ଦ, ବସୁନନ୍ଦ, ପ୍ରଭୃତି ଗୋପାଳମାନେ ଆପଣା ଆପଣା ଦୁଇ ଆସନରେ ବସିଥିବା ବେଳେ ଗୋଟିଏ ଦାସୀ କୃଷ୍ଣ ବଳରାମଙ୍କୁ ଦୁଇ କାଖରେ ଘେନି ପ୍ରବେଶ )

 

ନନ୍ଦ –

(ଗୋପାଳମାନଙ୍କୁ ଚାହିଁ) ଭାଇ ! ନନ୍ଦୀଶ୍ଵରଠାକୁ ଯିବାପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତିତ ? ଆଉ କାହାର କେଉଁ ଅସୁବିଧା ଅଛି ତାହା କୁହନ୍ତୁ ।

 

 

ଉପନନ୍ଦ –

ମହାରାଜ ! ସମସ୍ତେ ସଜହୋଇ ରହିଛନ୍ତି, କାହାରି କିଛି ଅସୁବିଧା ନାହିଁ ।

 

(କୃଷ୍ଣ ବଳରାମଙ୍କୁ ଦୁଇ କାଖରେ ଘେନି ଦାସୀ ପ୍ରବେଶ)

 

 

ଦାସୀ –

ମହାରାଜ ! ପାଟମହାଦେଇ ଏ ଦୁଇଭାଇଙ୍କି ବେଶ ସଜାଇ ଆପଣଙ୍କ ନିକଟକୁ ପଠାଇ ଦେଇଛନ୍ତି; ଛାମୁରୁ କି ଆଦେଶ ହେଉଛି ଶୀଘ୍ର ଆଜ୍ଞା କରନ୍ତୁ ମୁଁ ଅନ୍ତଃପୁରରେ ଜଣାକରିବ ।

 

(ଏହା କହି ଦୁଇ ଭାଇଙ୍କି ଛାଡ଼ିଦେବା)

 

 

ନନ୍ଦ –

(କୃଷ୍ଣ ବଳରାମଙ୍କ ପ୍ରତି) ଆସ ବାବା ! ମୋ କୋଳକୁ ଆସ, (ଦାସୀ ପ୍ରତି) ଦାସୀଲୋ ! ତୁ ଚଞ୍ଚଳ ଯାଇ ମହାଦେଈଙ୍କି କହିକି ଏହି ପ୍ରହରକ ମଧ୍ୟରେ ଯିବାର ଅନୁକୂଳ ବେଳ ଅଛି, ସେ ସମସ୍ତ ଦ୍ରବ୍ୟ ଠିକ୍‍ କରି ଯିବାକୁ ପ୍ରସ୍ତୁତ ରହନ୍ତୁ-

 

 

ଦାସୀ –

ଯେ ଆଜ୍ଞା !

 

(ଏହା କହି ପ୍ରସ୍ଥାନ)

 

(କୃଷ୍ଣ ବଳରାମ ଦୁହେଁ ନନ୍ଦ ମହାରାଜାଙ୍କ ଦୁଇ ପାର୍ଶ୍ଵରେ ମୁଖେ ବସିବା ଅଭିନୟ-।)

 

 

ନନ୍ଦ –

ଭାଇ ଉପନନ୍ଦ ! ଗୋପାଳମାନେ ସମସ୍ତେ ହାଜର ଅଛନ୍ତିତ ?

 

 

ଉପ –

ହଁ ଆଜ୍ଞା ସମସ୍ତେ ହାଜର ଅଛନ୍ତି ।

 

 

ନନ୍ଦ –

ଏବେ ସେମାନଙ୍କୁ କୁହ ଆଜି ଏ ରାଜସଭାରେ ଗୋଟିଏ ଗୀତ ଗାଇ ବାଡ଼ି ଖେଳନ୍ତୁ ଆଉ ପ୍ରଶ୍ନ ଉତ୍ତର କରନ୍ତୁ ।

 

 

ଉପ –

ଯେ ଆଜ୍ଞା ! (ଗୋପାଳଙ୍କ ପ୍ରତି)

 

ଗୋପାଳେ ! ମୋହାରାଜାଙ୍କ ଆଦେଶ ହେଉଛି ତୁମ୍ଭେମାନେ ଗାନ ସହିତ ବାଡ଼ି ଖେଳକର, ଆଉ କିଛି ପଚରା ପଚରି ହୁଅ ।

 

(ଦୁଇଜଣ ଗୋପାଳ ବାହାରିପଡ଼ି କରଜୋଡ଼ ପୂର୍ବକ)

 

 

ଗୋପାଳ –

ଆଜ୍ଞା ଆମ୍ଭେ ଦୁହେଁ ଆଗ ଖେଳିବାକୁ ପ୍ରସ୍ତୁତ ଅଛୁଁ ।

 

 

ଉପ –

ଆଚ୍ଛା ଖେଳ ଖେଳ ।

 

 

ଗୋପାଳ –

(ଦୁହେଁ ସାଟୋପରେ ବାହୁ ମର୍ଦ୍ଦନ କରି ଚାଲିବା ଅଭିନୟ) ଗୀତ ।

 

 

୧ମ ଗୋପାଳ –

ଜଗିଥାରେ ଭାଇ ଜଗିଥା ଜଗିଥା ଜାଣି ଯୁଝମୋର ତୁଲେ ରେ । କେଡ଼େ ଖେଳୁଆ ତୁ ସବୁ ଜାଣିଯିବ ଏ ରାଜସଭାରେ ଭଲେ ରେ । କରେ ଥିଲେ ମୋ ଲଉଡ଼ି । କୋଶେ ପର୍ୟ୍ୟନ୍ତେ ନେବି ଘଉଡ଼ି ରେ । ୧ ।

 

 

୨ୟ ଗୋପାଳ –

ଭଲା ଖେଳୁଆ ତୁ ବୋଲି ମୋ ଆଗରେ ଦେଖାଉଛୁ ଏଡ଼େ ଟାଣରେ । କେତେ ମଲ୍ଲ ମୋହାମଲ୍ଲମାନଙ୍କୁ ମୁଁ କରାଇଛି ହଇରାଣରେ । ପଡ଼ିଅଛୁ ତୁ ମୋ ଆଗ । ଉଡ଼ାଇବି ତୋ ମୁଣ୍ଡରୁ ପାଗରେ । ୨ ।

 

 

୧ମ ଗୋପାଳ –

ଏହା ଦେଖି ଭାଇ ଏ ଗାର କୁ ଡେଇଁ ଯାଅ ଦେଖି ମୋର ସଙ୍ଗେ ରେ । ଖାଲି କୁହାଳିଆ ହୋଇଲେ କି ହେବ ବୁଝି ଣ ଜାଣିଲେ ରେଙ୍ଗେ ରେ । ମୋର ହାତେ ଥିଲେ ବାଡ଼ି । କେତେ ମଲ୍ଲ ପଳାଇବେ ଛାଡ଼ିରେ । ୩ ।

 

 

୨ୟ ଗୋପାଳ -

ଆମ ଘର ପାଠ ତତେ ଜଣା ନାହିଁ ଜାତିରେ ଗୋପାଳ ହୋଇରେ । ବିନା ବାଡ଼ିରେ ଚିରାମାରି ଖେଳିବା ଖଣ୍ଡ ତତେ ଆସି ନାହିଁ ରେ । ମିଛ ଖେଳୁଆ ବୋଲାଉ । ପଟାଟୋଯେ ତୁ ନିଶ ଫୁଲାଉରେ । ୪ ।

 

 

୧ମ ଗୋପାଳ –

ମହାଭୋଇ ପଦ ମୋ ଅଜା ପାଇଛି ଏହି ବାଡ଼ି ଖେଳି ଖେଳି ରେ । ତାହାରି ନାତି ମୁଁ ବୋଲି ତତେ ଜଣାନାହିଁ କି କହୁଛୁ ବୋଲିରେ । ଆଛା ଖେଳ ଖେଳ ଥରେ । ଜଣାଯିବ ଏ ରାଜସଭାରେ ରେ । ୫ ।

 

 

୨ୟ ଗୋପାଳ -

କେତେଦିନୁ ମୋର ବଳିଥିଲା ମନ ତୋସଙ୍ଗେ ଖେଳିବା ପାଇଁ ରେ । ଜଗ ଜଗ ତୋର ପଟ୍ଟ । ଧରି ବାଡ଼ି ଲଉଡ଼ିକି ଝଟ ରେ । ୬ ।

 

(ଦୁଇ ଗୋପାଳଙ୍କର ଖେଳ ଆରମ୍ଭ ଓ ଖେଳିବା ଅଭିନୟ ।)

 

 

ନନ୍ଦ –

(ଉପନନ୍ଦ ପ୍ରତି) ଭାଇ ଉପ ! ଖେଳ ଏତିକି ହୋଇ ଥାଉ, ଗୋପାଳମାନେ ସମସ୍ତେ ସେହି ନୂଆ ଗ୍ରାମଠାରେ ଖେଳ କରିବେ, ବର୍ତ୍ତମାନ ଅନୁକୂଳ ସମୟ ହେଲାଣି । ଚାଲ ଆନନ୍ଦରେ ଗୀତ ଗାନ କରି ସମସ୍ତେ ନନ୍ଦିଶ୍ଵର ପର୍ବତ ଠାକୁ ଯିବା, ପଛରେ ଅନ୍ୟାନ୍ୟ ପଦାର୍ଥମାନ ଘେନି ପ୍ରଜାମାନେ ଆସୁଥାନ୍ତୁ, ଆସ ଆମ୍ଭେମାନେ ଆଗରେ ଯିବା (ଏହା କହି କୃଷ୍ଣ ବଳରାମଙ୍କୁ କାଖରେ ଘେନିବା)

ଉପ –

ଯେ ଆଜ୍ଞା !

 

(ସମସ୍ତଙ୍କ ପ୍ରସ୍ଥାନ)

 

ପଞ୍ଚମ ଦୃଶ୍ୟ – ନନ୍ଦୀଶ୍ଵର ପର୍ବତତଳ

(କେତେକ ଜଣ ଗୋପାଳଙ୍କ କଥୋପକଥନ)

 

ଭଦ୍ରସେନ –

ଭାଇ ! ମହାରାଜାଙ୍କର ଶୁଭ ବିଜୟ ଏତେ ବିଳମ୍ବ ହେଲା କାହିଁକି ?

 

 

ଲୀଳାଧର –

ନା, ଭାଇ ! ମହାରାଜା ତ ବିଜେ କରୁଥିଲେ, ମୁଁ ଆଗରୁ ବାହାରି ଆସିଲି, ଏବେ ଘର ସବୁ ପ୍ରସ୍ତୁତ ହୋଇଯାଇଛିତ ?

 

 

ଭଦ୍ରସେନ –

ଭାଇ ! ସେଥିରେ ଆଉ କହିବାକୁ ଅଛି ? ଆଗ ରହିଯିବାକୁ ଖଣ୍ଡେ ଖଣ୍ଡେ କୁଡ଼ିଆ ତିଆରି ସରିଚି । ବାକି ମହାରାଜାଙ୍କ ପାଇଁ ଟିକିଏ ଭଲ ଘର ଖଣ୍ଡେ ହେବାର କଥା, ତା’ କଣ ରହିଯିବ ? ଆଗ ତମ୍ବୁ ଡେରା ପକାଇ ଦେବା, ପରେ ଘର ପ୍ରସ୍ତୁତ ହେଉ ଥାଉ, ଚିନ୍ତା କଅଣ ?

 

 

ଲୀଳାଧାର –

ହଁ ଭାଇ ! ଯେ କୌଣସି ମତେ ଆଗ ରହିଯିବାକୁ ସ୍ଥାନ ଟିକିଏ ହେଲେ ଯଥେଷ୍ଟ-। ପରେ ଦେଉଳ ଅଟ୍ଟାଳି, ଯେତେ ହେବାର ହେଉଥାଉ । ଆମ ମହାରାଜାତ ସାମାନ୍ୟ ଭାଗ୍ୟବନ୍ତ ପୁରୁଷ ନୁହନ୍ତି ? ଯେତେବେଳେ କୃଷ୍ଣ ବଳରାମଙ୍କ ପରି ପୁଅ ପାଇଛନ୍ତି ତାଙ୍କ କେଉଁକଥା ଅପୂର୍ବ ଅଛି ?

 

 

ମହାଭୋଇ –

(ପ୍ରବେଶ ପୂର୍ବକ) କିହୋ ଭାଇ ! ଏଠେଇ ଘର କାହିଁକି ତିଆରିଲ ? ନ ବୁଝି ଚିହ୍ନି ଏଡ଼େ ଅବିଚାରଟାଏ କାଇଁକି କଲ ?

 

 

ଲୀଳାଧର –

କାହିଁକି ? କଅଣ ହେଲା କି ? ଇଏ କଣ ଉପଯୁକ୍ତ ସ୍ଥାନ ନୁହେ ?

 

 

ମହାଭୋଇ–

ଆରେ ଭାଇ ! ଏଇଟା ଭୁତମାନଙ୍କ ରହିବାସ୍ଥାନ, ବଡ଼ ଭୁଲ କାର୍ଯ୍ୟ କରି ପକାଇଲ ଭାଇ ! (ବିସ୍ମୟଭାବେ ରହିବା ଅଭିନୟ)

 

 

ଭଦ୍ରସେନ –

ଆରେ ଏ ! ଭୁଲ କାର୍ଯ୍ୟ କଣ କରିଛୁ କହି ହେଉଛୁ । ଆମେତ ଜ୍ୟୋତିଷ ପାଖରେ ଶୁଭାଶୁଭ ସବୁ ବୁଝିବାଝି ଏଠି ଘର ତୋଳିଛୁ, ତୋ କଥା ଶୁଣୁଚି କିଏ, ଯାଯା, ତୋର ଯେବେ ଇଚ୍ଛା ନ ହେଉଛି, ତୁ ଅନ୍ୟଠି ଘର କରି ରହିଯା ।

 

 

ମହାଭୋଇ –

ଆରେ ଭାଇ ! ତମେମାନେ କଣ ମୋ ପରାକ୍ରମ ବୁଝି ନାହଁ, ମୁଁ ଏ ବ୍ରଜପୁର ଗୁଣିଆଁ, କେତେ ଯାଗାରୁ ଭୁତ ଛଡ଼େଇ କେତେ ଶାଢ଼ୀ ସୁନାବଳା କଙ୍କଣ ପାଇଛି, ତା’ କଣ ଜାଣନା ? ଏ ବନଟା ଭୁତମାନଙ୍କର ସଭାଥାନ । ଯେବେ ମିଛ ମନେ କରୁଛ ଆସ ଦେଖେଇ ଦେବି ।

 

 

ଭଦ୍ରସେନ –

ଚାଲେ ଭାଇ ଚାଲେ କେଉଁଠି ଭୁତ ଅଛି ଦେଖେଇଦେବୁ ଚାଲ ।

 

 

ମହାଭୋଇ –

ତେବେ ଆସ (ସାଟୋପଗତିରେ ପ୍ରସ୍ଥାନ)

 

ଲୀଳାଧର,ଭଦ୍ରସେନ (ପଛେ ପଛେ ପ୍ରସ୍ଥାନ)

 

(ନନ୍ଦ, ଉପନନ୍ଦ, ବସୁନନ୍ଦ ପ୍ରଭୃତିଙ୍କ ପ୍ରବେଶ)

 

 

ନନ୍ଦ –

ଭାଇ ! ଉପରେ ଏ ତ ଉପଯୁକ୍ତ ସ୍ଥାନ ହେଲା, ଘରଗୁଡ଼ିକ ବେଶ ଶୋଭା ଦେଖା ଯାଉଛି, ଏବେ ଲୀଳାଧର, ଭଦ୍ରସେନ କୁଆଡ଼େ ଗଲେ ?

 

 

ଉପନନ୍ଦ –

ଭାଇ ! ସେମାନେ ଯେଉଁଆଡ଼େ ଥିଲେ ଏହିକ୍ଷଣି ଆସି ପହଞ୍ଚିବେ, ଏବେ ଶକଟ, ବଳଦ, ଗାଈ, ଗୋରୁମାନଙ୍କୁ ରଖିବାପାଇଁ ସ୍ଥାନ ଦେଖିବା ।

 

 

ସୁନନ୍ଦା –

ମହାରାଜ ! ଆଜି ନୂତନ ଘର ଉପଲକ୍ଷେ ଗୋଟିଏ ମେଳା କରି ଭଲ ରକମ ଗୋଟାଏ ଭୋଜି କରିବାକୁ ଆଦେଶ ଦିଅନ୍ତୁ ।

 

 

ନନ୍ଦ –

ତା’ ତୁମ୍ଭମାନଙ୍କୁ ଲାଗେ, ଏବେ ଯାଅ ସମସ୍ତେ ଗୋପାଳମାନଙ୍କୁ କହିକି ଢୋଲକ, ମର୍ଦ୍ଦଳ, କଂସାଳ, ଝଞ୍ଜାଳ ଘେନି ସମସ୍ତେ ଏଇଠାରେ ଉପସ୍ଥିତ ହୁଅନ୍ତୁ, ଆଜି ହରିନାମ ଗାନ କରି ବାଦ୍ୟ ବଜାଇ ମେଳା ଆରମ୍ଭ କରିବା । ଯାଅ ଗୋପାଳମାନଙ୍କୁ ଏଠାକୁ ଡାକିଆଣ ।

 

(ଏହା କହି ନନ୍ଦ, ଉପନନ୍ଦ ଆସନରେ ବସିବା ଅଭିନୟ)

 

 

ସୁନନ୍ଦା –

ଆରେ ଗୋପାଳମାନେ ! ସମସ୍ତେ ବାଦ୍ୟ ଯନ୍ତ୍ର ଘେନି ଶୀଘ୍ର ଆସ ।

 

 

ଗୋପାଳଗଣ –

(ନେପଥ୍ୟରୁ) (ବାଦ୍ୟ ଯନ୍ତ୍ର ସହିତ ହରିନାମ କୀର୍ତ୍ତନ କରି କରି ପ୍ରବେଶ)

 

 

 

 

ଗୀତା । କୀର୍ତ୍ତନସ୍ଵର ।

ହରିବୋଲ ହରିବୋଲ ହରିବୋଲ ଭାଇ ।

ହରିନାମ ବିନେ ଭାବେ ଆଉ ଗତି ନାହିଁରେ । ପଦ ।

ଗାଅ ସର୍ବେ ଉଚ୍ଚସ୍ଵରେ, ହରେ ରାମ ହରେ ହରେ,

ଯେଉଁ ନାମେ ଭବ ଭୟ ଅପସରି ଯାଇ ରେ । ୧ ।

 

ହରିନାମ ଏକ ସାର, ଆଉ ସକଳ ଅସାର ,

ଯେଉଁନାମ ଆଶ୍ରେ ଯମ ଦଣ୍ଡ ହେବା ତ୍ରାହିରେ । ୨ ।

ହରି ମାତା ହରି ପିତା, ହରି ଜଗତ କରତା,

ହରିନାମେ ମାତି ନାଚ ତୋଳି ବାହୁ ଦୁଇ ରେ । ୩ ।

(ଐକ୍ୟତାନ ବାଦନ ଓ ନୃତ୍ୟ)

ପରଦା ପତନ ।

 

ଦ୍ଵିତୀୟ ଅଙ୍କ

ପ୍ରଥମଦୃଶ୍ୟ – ଯମୁନାକୂଳ

(ବଳରାମ, ଶ୍ରୀକୃଷ୍ଣ, ସୁବଳ, ମଧୁମଙ୍ଗଳ; ଦାମ, ସୁଦାମ; ଶ୍ରୀଦାମ ପ୍ରଭୃତି ସଖାଗଣ ସମସ୍ଵରେ ଗୀତ ଗାଇ ଗାଇ ପ୍ରବେଶ)

(ଆସ ବୃନ୍ଦାବନେ ବନେ ବନେ – ବୃତ୍ତେ)

ଆସ ଆସ ଭାଇ ଖେଳିବା ହେ ଆସ ସକଳେ ।

ବାଛୁରିଏ ଚରୁଥାନ୍ତୁ ଯମୁନା କୂଳେ । ଘୋଷା ।

 

ଶ୍ରୀକୃଷ୍ଣ –

ଆହେ ଭାଇ ବଳରାମ, ଦାମ ସୁଦାମ ଶ୍ରୀଦାମ;

 

ତୁମ୍ଭେ ହୁଅ ଦଳେ, ଆମ୍ଭେ ହେଉଛୁଁ ଦଳେ । ୧ ।

ବଳରାମ –

ଚାଲରେ କୃଷ୍ଣ ସୁବଳ, ଅର୍ଜୁନ ମଧୁମଙ୍ଗଳ

 

ନାଚିବା ଆନନ୍ଦେ ସର୍ବେ, ଲଉଡ଼ି ଖେଳେ । ୨ ।

 

(ସଖାଗଣ ଲଉଡ଼ି ଖେଳ ଆରମ୍ଭ କରି ନାଚିବା ଅଭିନୟ)

ଶ୍ରୀକୃଷ୍ଣ –

ଭାଇମାନେ ! ଲଉଡ଼ି ଖେଳ ଏତିକି ହେଇ ଥାଉ, ଦୋଳି ଖେଳିବା ପରା ?

ମଧୁ –

କାହ୍ନୁ ! ଆମ୍ଭେମାନେ ଗୋଟିଏ ଫୁଲ ଦୋଳି ତିଆରି କରି ମନେ କରିଚୁ ଯେ, ତୁମକୁ ସେଇ ଦୋଳିରେ ବସେଇ ସମସ୍ତେ ଝୁଲେଇବୁଁ ।

 

 

ଶ୍ରୀକୃଷ୍ଣ –

ସଖେ ! ମଧୁମଙ୍ଗଳ ! ବଳିଭାଇହେରେକ ତେଣେ ଧୀର ସମୀର ଆଡ଼କୁ ଗଲେଣି, ଆସ ଏବେ ଆମ୍ଭେମାନେ ଦୋଳି ଖେଳିବା ।

 

 

ସୁବଳ –

ପ୍ରିୟ ସଖା ! ତେମେ ଦୋଳିରେ ବସିବ, ଆମ୍ଭେମାନେ ଝୁଲେଇବୁଁ ଟି ?

 

 

ଶ୍ରୀକୃଷ୍ଣ –

କାହିଁକି ? ତମେମାନେ କଣ ଦୋଳିରେ ବସିବ ନାଇଁ ? ମୁଁ ଏକୁଟିଆ ବସିଲେ କଣ ସୁନ୍ଦର ଦିଶିବ ?

 

 

ମଧୁ –

କାହ୍ନୁ ! ତମେ ପରା ରାଜା ଘର ପୁଅ ? ତମକୁ ତ ସୁନ୍ଦର ଦିଶିବ ନାଇଁ, ଆଉ କାହାକୁ ସୁନ୍ଦର ଦିଶିବ ? ଆସ ଏବେ, ଏଇ କଦମ୍ବ ଡାଳରେ ଫୁଲ ଦୋଳି ବାନ୍ଧିଛୁ ଖେଳିବା ଆସ ।

 

 

ଶ୍ରୀକୃଷ୍ଣ –

ହଉ ତେବେ ଚାଲ ।

 

(ସକଳେ ପ୍ରସ୍ଥାନ)

 

ଦ୍ଵିତୀୟଦୃଶ୍ୟ – କେଳିକଦମ୍ବ ମୂଳ

(ଶ୍ରୀକୃଷ୍ଣ, ସୁବଳ, ମଧୁମଙ୍ଗଳ ଓ ଅନ୍ୟାନ୍ୟ ସଖାଗଣଙ୍କ ପ୍ରବେଶ)

 

ମଧୁମଙ୍ଗଳ –

କାହ୍ନୁ ! ଦେଖ ଏଇ କଦମ୍ବ ଡାଳଟି ଫୁଲ ଦୋଳିରେ କିସୁନ୍ଦର ଦିଶୁଚି, ତମକୁ ଏଇ ଦୋଳିରେ ବସେଇବୁ ବୋଲି ଆମେ ସମସ୍ତେ ବହୁତ ପରିଶ୍ରମ କରିଚୁ, ଏବେ ତମେ ଦୋଳିରେ ବସ ।

 

ଗୀତ ।

 

କଦମ୍ବ ଡାଳେ ବାନ୍ଧିଛୁ ଏ ଫୁଲ ଦୋଳିକି ।

ଝୁଲେଇବୁ ବୋଲି ଆମ୍ଭେ ଶ୍ରୀବନମାଳୀଙ୍କି ।।

ବେନି ପାଶେ ରହି ଧୀରେ ଧୀରେ ଝୁଲାଇବୁ ।

ଶୋଭା ଦେଖି କୋଟି ଇନ୍ଦ୍ର ସମ୍ପତ୍ତି ପାଇବୁଁ ।।

 

ଏହି ନିବେଦନ ସଖା ଆମ୍ଭମାନଙ୍କର ।

ଦୋଳିରେ ବସିବା ପାଇଁ କର ଅଙ୍ଗୀକାର ।।

 

ଶ୍ରୀକୃଷ୍ଣ –

 

ଶୁଣ ଶୁଣ ଆହେ ମୋର ପରାଣର ସଖା ।

ତୁମ୍ଭ ପ୍ରେମଧନେ ମୁହଁ ହୋଇଛି ହେ ବିକା ।

ଚାଲ ଚାଲ ପ୍ରିୟ ସଖା ବସିବି ଦୋଳିରେ ।

ଏହି ସ୍ନେହ ସବୁଦିନେ ଥାଉ ମୋହଠାରେ ।

 

ତୁମ୍ଭର ମୁଁ କିଣା ଜନ ଅଟଇ ହେ ସିନା ।

ତୁମ୍ଭ ଇଚ୍ଛା ଯାହା ମୁଁ କି କରିପାରେ ମନା ।।

ସାଗଣ – ଆସ ଆସ କଳା କାହ୍ନୁ ବସ ହେ ଦୋଳିରେ ।

ଝୁଲାଇବୁଁ ସବୁ ସଖା ଆମ୍ଭେ ଥରେ ଥରେ ।।

 

(ଶ୍ରୀକୃଷ୍ଣଙ୍କୁ କୋଳରେ ନେଇ ସଖାମାନେ ଫୁଲ ଦୋଳିରେ ବସାଇବା ଓ ଆନନ୍ଦ ମନରେ ଗୀତ ଗାଇ ଧୀରେ ଧୀରେ ଦୋଳି ଝୁଲାଇବା ଅଭିନୟ ।)

 

ଦୋଳି ଗୀତ ।

ଝୁଲୁଥାରେ କୁସୁମ ଦୋଳି ।

ବିଜେ କରିଛନ୍ତି ଏ ନାଟୁଆ ବନମାଳୀ । ଘୋଷା ।

ଗାଅ ହେ ଆନନ୍ଦେ ବ୍ରଜ ବାଳକ ମଣ୍ଡଳୀ ।

କରତାଳି ଦେଇ ସର୍ବେ ନାଚ ଢଳି ଢଳି ।୧।

 

ଚନ୍ଦନ ପାଟିଆ କାହ୍ନୁ ଶିଖଣ୍ଡମଉଳି ।

କି ସୁନ୍ଦର ଦିଶୁଛନ୍ତି ଏ ଗୋପ ସଙ୍ଖାଳି ।୨।

ବଜାଅ ବଇଁଶୀ ବେଣୁ ପାଟର କାହାଳି ।

ଶିଙ୍ଗା ଭେରୀ ଶଙ୍ଖନାଦ ପଡ଼ୁ ହେ ଉଛୁଳି ।୩।

(ସମସ୍ତେ ଫୁଲ ଦୋଳି ଉତ୍ସବରେ ଗାନ ସହ ବିଭଳ ହୋଇ ନାଚିବା ଅଭିନୟ)

(ଗୋପିଗଣ ପ୍ରବେଶ ପୂର୍ବକ ଗୀତ) ବାଲ୍ୟଲୀଳା – ବୃତ୍ତେ ।

ଦେଖା ଗୋ ସଂଗାତ ବ୍ରଜରାଜ ସୁତ ଅଜତ ବିଷମ ଛବି ଗୋ ।

ଦେଖି ଏ ଆରମ୍ଭ ରହିବ କା ଦମ୍ଭ ? ପବିହେଲେ ଯିବ ଦ୍ରବି ଗୋ ।

ପଶୁ ଦେଖିକି କି ମୂର୍ଚ୍ଛିବେ, ସୁରନାରୀ ସୁରତ ଇଚ୍ଛିବେ ଗୋ ।୧।

ଚମ୍ପା ଜାତି ଯୁଥି ମାଧବୀ ମାଳତି ମିଶାଇ ବାନ୍ଧିଛି ଯୂଡା ଗୋ ।

ତାର ଉପରକୁ ବରାହ ଚନ୍ଦ୍ରକ କୁଳବତୀ ବ୍ରତ ଛଡ଼ା ଗୋ ।

କର୍ଣ୍ଣେ ମକର କୁଣ୍ଡଳ । ମାଣ୍ଡୀ ଦେଉଛି ଗଣ୍ଡମଣ୍ଡଳ ଗୋ ।୨।

ଲଲାଟେ କସ୍ତୁରୀ ତିଳକ ଅଲକ ତଳକୁ ଚୂର୍ଣ୍ଣ କୁନ୍ତଳ ଗୋ ।

ମୁଖାରବିନ୍ଦକୁ ବେଢ଼ି ରହିଛନ୍ତି ଅବା ଭ୍ରମର ମାଳା ଗୋ ।

ବକ୍ର କଟାକ୍ଷ ଚାହାଣି । ନାରୀ ଲାଜ ପକାଉଛି ହାଣି ଗୋ ।୩।

ତିଳ ପ୍ରଫୁଲ୍ଲ ନାସିକା ମନୋହର ଗଜମତି ବର ଶୋହେ ଗୋ ।

ବିମ୍ୱାଧରେ ସ୍ମିତହାସ ବିକାଶିତ ଜଗଜ୍ଜନ ମନ ମୋହେ ଗୋ ।

ଉରେ ହାର ସୁପଦକ । ଦେଖି ହୃଦ ହୁଏ ଦକ ଦକ ଗୋ ।୪।

 

ସୁବାହୁ ବୃଶାଳ ଜିଣି ପଦ୍ମନାଳ ବାହୁଟି କଙ୍କଣ ସାର ଗୋ ।

କଣ୍ଠଠାରୁ ଜାନ ଯାଏ ଲମ୍ବି ଅଛି ଶ୍ରୀ ବୈଜୟନ୍ତୀ ହାର ଗୋ ।

ପରିଧାନ ପୀତପଟ । କେଳି କଦମ୍ବ ମୂଳ ଲମ୍ପଟ ଗୋ ।୫।

 

ଶ୍ରୀ ବସ୍ତ୍ର ଲକ୍ଷଣ ଅତି ବିଚକ୍ଷଣ ଦକ୍ଷିଣାଙ୍ଗ ଯାଏ ଦେଖା ଗୋ ।

ନିଳ ମରକତ ଶିଳର ଯେମନ୍ତ ବାମେ ସୁକୁନ୍ଦନ ରେଖା ଗୋ ।

କଟି କେଶରୀ ଚାତୁରୀ । କରୀ ଗତିକି ଯିବେ ଉତୁରି ଗୋ ।୬।

 

ରଙ୍ଗିମାଚରଣ ଭଙ୍ଗିମାକୁ ପୁଣି କି ଉପମା ଦେବା ତହିଁ ଗୋ ।

ଚଉଦ ବ୍ରାହମାଣ୍ଡ ଶୋଭାଯାକ ରୁଣ୍ଡ କଲେ ହେଁ ନ ଅଣ୍ଟେ ଯହିଁ ଗୋ ।

ପାଦେ ଜଡ଼ିତ ନୂପୁର । ନାଦେ କମ୍ପି ଯାଏ ତିନିପୁର ଗୋ ।୭।

 

ବ୍ରଜଯୁବରାଜ ହେଲା ପ୍ରାଏ ଆଜ ପ୍ରତେ ହେଉଛି ମୋ ମାନେ ଗୋ ।

ଛତ୍ର ଚାମର ଅମ୍ବର କରେ ଧରି ନିଯୋଗୀୟା ସଖାମାନେ ଗୋ ।

ନିଶ୍ଚେଁ ପାତ୍ର ଏ ସୁବଳ । ସଭା ପଣ୍ଡାରୀ ମଧୁମଙ୍ଗଳ ଗୋ ।୮।

 

୧ମ–ଗୋପୀ –

(ହସି ହସି) ଆଗୋ ସହି ! ଏ କଣ ଆଉ କନ୍ଦର୍ପ ରଜା କି ?

 

 

୨ମ–ଗୋପୀ –

ଦେଖୁନାହିଁ ବସନ୍ତ ଉତ୍ସବ ଯାତ୍ରା କରିବାକୁ ଆପଣ ସଖାମାନଙ୍କୁ ଘେନି ଏ ବୃନ୍ଦାବନରେ ବିଜେ କଲେଣି ।

 

 

୩ୟ–ଗୋପୀ –

ଆଗୋ ଏଇ କୋଳିକଦମ୍ବ ମୂଳଟି ବଡ଼ ତପସ୍ୟା କରିଥିଲା, ତେଣୁ କନ୍ଦର୍ପ ରାଜାର ଅନୁକୂଳ ଯୋଗ୍ୟ ସ୍ଥାନ ହେଇଚି ।

 

 

୪ର୍ଥ–ଗୋପୀ –

ସଖି ! ଦେଖିଲଣି ବସନ୍ତ ଆଉ କୋକିଳ ଏ ଦୁଇଜଣ ତାର ପାତ୍ରମନ୍ତ୍ରୀ ହୋଇ ବାମ ଡାହାଣରେ କିପରି ଶୋଭା ପାଉଛନ୍ତି ।

 

 

୫ମ-ଗୋପୀ –

ଆଗୋ ତେଣିକି ଚାହାଁନେଇଁ ଚାହାଁନେଇଁ । ସେ ପରା ବିରହୀ ନାରୀମାନଙ୍କୁ ମାରିବାକୁ ଖୋଜି ବୁଲୁଚି ।

 

 

୧ମ-ଗୋପୀ –

ତମେ କିଛି ଜାଣି ନାହଁ । ସେ ରତିକି ଖୋଜୁଛିମ

 

 

୨ୟ-ଗୋପୀ –

ତୁ ଯାହାକହୁ ସେ କଥା ଗୁଡ଼ାକ ମନକୁ ଆସେ ନାହିଁ । କାହା ସାଙ୍ଗରେ କାହାକୁ ତୁଳନା କରୁଛୁ । ଶ୍ୟାମ ସାଙ୍ଗରେ କି କି କାମ ସମାନ ହେବ ? ସେ ପରା ମଦନମହନ ।

 

 

୩ୟ-ଗୋପୀ –

ବିଧାତା ବଡ଼ ନବରଙ୍ଗିୟା ।

 

 

୪ର୍ଥ-ଗୋପୀ –

କାହିଁକି ମ ?

 

 

୩ୟ-ଗୋପୀ –

ତିନିଭୁବନ ଯାକର ସାର ବାଛି ବାଛି ଏ ତ୍ରିଭଙ୍ଗ ମୂରତୀଟି ରେ ଠୁଳ କରିଛି ।

 

 

୫ମ-ଗୋପୀ –

ସଖି ! ଯମୁନା ବଡ଼ କଉତୁକୀ, ନିଜର ଘାଟ ନିକଟରେ ଦେଖ କେମିତି ପ୍ରେମର ହାତ ବସେଇଚି ।

 

 

୪ର୍ଥ-ଗୋପୀ –

ଆଗୋ ! କେଳି କଦମ୍ବ ତପସ୍ୟା କଅଁଣ ସାମାନ୍ୟ ବୋଲି ମାନେ କରିଚ । ଦେଖ ଶୋଭା ସମ୍ପତ୍ତି ବଜାର ବସାଇଚି । ଆଉ ସୁବଳ ମଧୁମଙ୍ଗଳ ଆଦି ସଖାମାନେ ବଣିଜାର ହୋଇଅଛନ୍ତି ।

 

 

୧ମ-ଗୋପୀ –

ଆଗୋ ! ନୀଳମଣି ରତନକୁ ଏ ତିନି ଭୁବନରେ କେହି ମୂଲକରି ଗ୍ରାହକ ହୋଇ ନ ପାରିବାରୁ ଗୋକୁଳରେ ଧନୀ ଥିବା ଶୁଣି ବଣିଜାରମାନେ ଏ ବ୍ରଜମଣ୍ଡଳକୁ ଆଣିଛନ୍ତି ନିଶ୍ଚେ ଧନୀ ଆମର ଭାଗ୍ୟ ଧନ ଦେଇ ଏହାର ଗ୍ରାହକ ହୋଇ ପାରିବେ, ଆସ ଏବେ ପାଣି ନେଇ ଘରକୁ ଯିବା ।

 

(ଗୋପିଗଣ ପ୍ରସ୍ଥାନ)

ମଧୁମଙ୍ଗଳ –

କିରେ କାହ୍ନୁ ! ତେଣେ ଚାହୁଁଥିଲୁ କାହିଁକି, କଣ ଦେଖିଲୁ କହିଲୁ ଭଲା ।

ଶ୍ରୀକୃଷ୍ଣ –

କାହିଁ ସଖା ମୁଁ କୁଆଡ଼େ ଚାହିଁଥିଲି କି ? ମୁଁ ପରା ଫୁଲ ଦୋଳିରେ ଝୁଲୁଥିଲି ।

ମଧୁମଙ୍ଗଳ –

ହଁ ସଖା ! କାଳିଆହାତୀ ଝୁଲୁ ଝୁଲୁ କିଆକନ୍ଦା ଖାଇବାକୁ ମନ ବଳିଗଲା ନାଇଁ ? ହଉ ଆସ ଆସ-ବେଳ ଉଚ୍ଛୁର ହେଉଛି ଯିବା ।

ସୁବଳ –

ହଁ ସଖା ! ନ ଗଲେ ନିଶ୍ଚେଁ ବୋଲଣା ପାଇବା । ଆସ ଆମର ରାଜାଙ୍କୁ ପହଣ୍ଡ ମଣାଇ ଶିଙ୍ଗା ବେଣୁ ବଜାଇ ବିଜୟ କରାଇବା ।

 

ଗୀତ । କୀର୍ତ୍ତନସ୍ଵର ।

ଆସ ଆସ ପ୍ରିୟ ସଖା ! ଆସ ହେ ଚଞ୍ଚଳ ।

ଜନନୀ ଖୋଜି ଖୋଜି ହେ ହେବଣି ଆକୁଳ ।।

ମଣୋହି କରିବ ସାର ଶାକର ମିଠାଇ ।

ବାଣ୍ଟିବ ଆମ୍ଭମାନଙ୍କୁ ଗେହ୍ଲାଇ ଗେହ୍ଲାଇ ।।

 

ଆସ ହେ ଆସ ହେ । କଳାକାହ୍ନୁ ନୀଳମଣି ।

ଆସ ହେ ଆସ ହେ । ଗୋପ ଯୁବରାଜ କାହ୍ନୁ ।।

 

(ପ୍ରସ୍ଥାନ)

 

ତୃତୀୟଦୃଶ୍ୟ – ନନ୍ଦରାଜ ଭବନ

(ଯଶୋଦାରାଣୀ ଏକାକିନୀ ହୋଇ ଭାଳୁଥିବା)

 

ଯଶୋଦା–

(ସ୍ଵାଗତ) ଆହା ! ଆସି ଏତେବେଳ ହେଲାଣି । କାହ୍ନୁ ମୋର ଏ ପର୍ଯ୍ୟନ୍ତ କାହିଁକି ନ ଆସିଲା ? ମୁଁ ଜାଣି ପାରୁଛି, ଆଜି ଖେଳରେ ତା ମନ ଲାଖି ରହିଛି, ତେଣୁ ସଙ୍ଗ ସଖାମାନଙ୍କ ସଙ୍ଗେ ଖେଳି ଖେଳି ଏ ଅଭାଗିନୀ ମାଆକୁ ମନରୁ ଭୁଲି ଯାଇଛି । ଧନରେ ! ତୋତେ ଭୋଖ ଲାଗିବଣିତ-

 

ଗୀତ ।

(କଳାମାଳିକ-ବୃତ୍ତେ)

କେତେବେଳୁ ଖେଳିବାକୁ ଯାଇଅଛୁ ଭୁତ ।

ଭୋଖ ଲାଗିବଣି ତତେ ପରା ମୋ ଅଚ୍ୟୁତ ! ଶ୍ୟାମସୁନ୍ଦରରେ;

କେବେ ତ ଏତେ ବିଳମ୍ବ ଦେଖିନାହିଁ ତୋର ।

 

ଆଜି କେଣେ ମାଆକୁ ଭୁଲିଛୁ ଧନ ମୋର, ଶ୍ୟାମସୁନ୍ଦରରେ ।

ତୋ ପାଇଁ ଥୋଇଛି ସର ଶାକର ଲବଣୀ ।

ଖାଇବୁ ବୋଲି ମୋ ରଙ୍କରତ୍ନ ଚିନ୍ତାମଣି, ଶ୍ୟାମସୁନ୍ଦରରେ ।

 

ରୋହିଣୀ – ଯଶୋଦେ ! ଭାଳି ହେଉଚ କଣ, ଏହି ଦେଖ କାହ୍ନୁ

ସଖାମାନଙ୍କ ସଙ୍ଗରେ କିପରି ଝୁଲି ଝୁଲି ଆସୁଚି ।

 

ଯଶୋଦା – (ସେହି ଦିଗକୁ ଚାହିଁ) ଆହା ! ନାଟୁଆ ନୀଳମଣିଟି

ମୋର କି ସୁନ୍ଦର ଝୁଲି ଝୁଲି ଆସୁଚି, ଧନରେ ଅଭାଗିନୀ

ମା କୋଳ କଣ ଏତେବେଳକୁ ମନେ ପଇଲା ?

ଗୀତା ।

(ଭଜ ଗୋ ବରଜରାଜ କୁଞ୍ଜବିହାରୀ – ବୃତ୍ତେ)

ଝୁଲି ଝୁଲି ଆସୁଛି ନାଟୁଆ ନୀଳମଣିଟି ।

ଧୁଳି ଧୂସରିଆ କଣ୍ଠେ କି ସୁନ୍ଦର ଦୋଳୁଛି କାଇଁଚ ମାଳିଟି । ଘୋଷା ।

ହାତୀଟି ପରି ଦେଖ ଗୋ ଛାତିଟି ଫୁଲେଇ ଦେଇ

ଗୋପାଳ ବାଳକ ସଙ୍ଗେ ।

ମାତି ଖେଳରସେ ସାଥି ହୋଇ ଚାଲୁଛି

ଆହା କେଡେ ରଙ୍ଗେ ଢଙ୍ଗେ ।

ଆସ କଳାମାଣିକ ମୋ ନୟନର ତାରା,

ଦୁଃଖିନୀ ଜୀବନ ରଙ୍କ - ରତନ ପସରା

ଆସରେ ଆସରେ, କଣ୍ଠ ରତ୍ନହାରା ମୋର (ଆସରେ ଆସରେ)

ମୋ ନୀଳରତନ ମଣି (ଆସରେ ଆସରେ) ।୧।

 

(ଶ୍ରୀକୃଷ୍ଣ ସଖାମାନଙ୍କ ସହିତ ପ୍ରବେଶ ।)

 

ଶ୍ରୀକୃଷ୍ଣ –

(ପ୍ରଣାମ ସହ) ମା ! ତୁ ଏତେ ବ୍ୟାକୁଳ ହେଉଥିଲୁ କାହିଁକି ?

 

 

ଯଶୋଦା –

(ବାତ୍ସଲ୍ୟ ଭାବେ ଧୁଳି ଝାଡ଼ି ଦେଇ) ବାପରେ ! ତୁ ଏତେବେଳ ଯାଏଁ କୁଆଡ଼େ ଯାଇଥିଲୁ ଧନ ! ମୁଁ ପରା ତୋ ପେଇଁ ସାର ଶାକର ଲବଣୀ ରଖି ଚାହିଁ ବସିଚି; ତୋର କଣ ଖାଇବାକୁ ମନେପଡ଼େ ନାହିଁ ବାପ ! ଆ ଆ ! ମୁଁ ସର ଲବଣୀ ଖୁଆଇଦିଏଁ ।

 

 

 

(ଏହା କହି ଶ୍ରୀକୃଷ୍ଣଙ୍କୁ କୋଳରେ ଘେନି ଗୋପ ଶିଶୁମାନଙ୍କ ପ୍ରତି)

 

ଆରେ ପିଲାମାନେ ! ତେମେ ସବୁ ବସ ଏହି କ୍ଷଣି ସର ଲବଣୀ ଦେଉଛି ସମସ୍ତେ ଖାଅ ।

 

(ଯଶୋଦା ବିବିଧ ପ୍ରକାର ଗୋରସ ଆଣି ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇବା ଓ ଗୋପଶିଶୁମାନଙ୍କୁ ଦେବା ସମୟେ ପଟ୍ଟ କ୍ଷେପଣ ।)

 

ଚତୁର୍ଥଦୃଶ୍ୟ – ଗୋପଦାଣ୍ଡ

(କଳସୀ କକ୍ଷେ ଗୋପୀମାନେ ଯମୁନାକୁ ଯିବାର)

ଗୀତ

ଆସ ଆସ ସହି ଯିବା ନୀର ପାଇଁ କାହିଁକି କରୁଛ ମଠ ଗୋ ।

ବେଳକୁ ବେଲତ ଖରା ମାଡ଼ିଆସେ ଚାଲି ନ ପାରିବା ବାଟ ଗୋ ।

ଆଗୋ ଅଶୋକା ବଉଳ । ନ ଜାଣ କି ଦୁଷ୍ଟ ନନ୍ଦ ବାଳ ଗୋ ।୧।

ଲାଗୁଅଛି ଡର କେଡ଼େ ହରବର କରୁଛି ସେ ଜାଗି ବାଟ ଗୋ ।

ଏଣିକି ଗୋ ସାହି ଏକା ହୋଇ କେହି ନ ଯିବା ଯମୁନା ଘାଟ ଗୋ ।

ନଟକୁଟିଆ କହ୍ନାଇ । ଟୋକାତାକୁତ ବିଶ୍ଵାସ ନାହିଁ ଗୋ ।୨।

କାଲୀ ସେ ରାଧିକା ଯାଇଥିଲା ଏକା ହୋଇ ଯମୁନା ପାଣିକି ଗୋ ।

ବାଟ ଜଗି କେତେ ନାଟ ଲଗାଇଲା ଧରି ପଣତ କାନିକି ଗୋ ।

ଶୁଣି ନାହିଁକି ସେ କଥା । କହିବସିଲେ ହୋଇବ ପ୍ରଥା ଗୋ ।୩।

୧ମା –

ଆଗୋ ! ସେ ଟୋକା ତ ବେଳକୁ ବେଳ ଅତି ନିଉଛୁଣା ହେଲା, ଏ ଗୋପରେ କେମିତି ଚଳିବା କହିଲ?

୨ୟା –

ଆଗୋ ! ଏଣିକି ସମସ୍ତେ ସଙ୍ଗ ହୋଇଯିବା, ସାତପାଞ୍ଚ ଏକମେଳ ହୋଇଗଲେ ସେ କଣ କରିପାରିବ ? ଏବେ ଆସ

 

 

୩ୟା –

ହଁ ଗୋ ସହି ସତ କହିଲ, ଏଥର ସମସ୍ତେ ଡକାଡକି ହୋଇ ଯମୁନାକୁ ପାଣିକି ଯିବା ।

 

 

୪ର୍ଥା –

ଆଗୋ ! ଆଉ ଡେରି କରିବା ଦରକାର ନାଇଁ, ଚାଲ ଚଞ୍ଚଳ ପାଣିଘେନି ବାହାରି ଆସିବା, କାଳେ ନନ୍ଦ ପୁଅ ହାବୁଡ଼େ ପଡ଼ିଗଲେ ଆଉ ଗତି ନାହିଁ ।

 

 

୫ମା –

ଆସ ଗୋ ! ଆସ । (ସମସ୍ତଙ୍କ ପ୍ରସ୍ଥାନ)

 

ପଞ୍ଚମଦୃଶ୍ୟ – ଯମୁନାକୂଳ

(ଶ୍ରୀକୃଷ୍ଣ ଏକାକୀ ପ୍ରବେଶ ।)

 

ଶ୍ରୀକୃଷ୍ଣ –

(ସ୍ଵାଗତ) ଗୋପୀମାନେ ଯମୁନାକୁ ପାଣିପାଇଁ ଆସୁଛନ୍ତି, ଆଜି ସେମାନଙ୍କୁ ଭଲକରି ହଟହଟାଟାଏ କରିବି, ମୋତେ ଦେଖିଲତ ସେ ସମସ୍ତେ ଲେଉଟିଯିବେ, ଏବେ ଯାଉଚି କଦମ୍ବ ବନରେ ଲୁଚି ରହିଥିବି, ସେମାନେ ପାଣି ନେଇ ଫେରିଲା ବେଳକୁ ଘାଟ ମାଗିବା ଛଳରେ ବାଟ ଆଗୁଳିବି, ଏବେ ଯାଏଁ

 

(ପ୍ରସ୍ଥାନ)

 

(ଗୋପୀମାନଙ୍କ ପ୍ରବେଶ)

୧ମା –

ଆଗୋ ସହି ! ଆସ ଆସ ଏତିକି ବେଳେ ପାଣିନେଇ ବାହାରିଯିବା ସେ କାଳିଆ ଟୋକା ଆସି ନାହିଁ, ଯେବେ ଆସି ପହୁଞ୍ଚିଯିବ ତେବେ ଆମ ଦଶା ଯେ କଣ ହେବ କହିପାରୁନାହିଁ ।

୨ୟା –

ହଁ ହଁ ଗୋ ସହି ! ଚାଲ ଶୀଘ୍ର ଚାଲ ପାଣି ଘେନି ବାହାରିଯିବା ।

 

(ତର ତର ହୋଇ ସମସ୍ତେ ଯମୁନା ଘାଟକୁ ଯିବାର)

 

(ଶ୍ରୀକୃଷ୍ଣ ଘାଟ ବାଟରେ ପ୍ରବେଶ)

ଶ୍ରୀକୃଷ୍ଣ –

(ସ୍ଵାଗତ) ଏଥର ଯିବେ କୁଆଡ଼େ; ମୋ ପାଲରୁ ସହଜରେ ମୁକୁଳି ଯାଇପାରିବେ-? ଏହିବାଟ ଜଗି ଥାଏଁ

 

(ଏହା କହି ବାଟ ଜଗି ବସିବା)

 

ଜଳ ଘେନି ଗୋପୀମାନଙ୍କ ପ୍ରବେଶ ।

 

 

୧ମା –

(ତାଟକା ହୋଇ) ଏହିଟି ଗୋ ମିତା ! ସେଇ ନନ୍ଦସୁତ ଏବେ ବାଟରେ ଠିଆହୋଇ ଜଗି ରହିଚି ।

୨ୟା –

ଆଗୋ, ସତେ ଗୋ ସତେ ! ଯେଉଁଥିପାଇଁ ଡରୁଥିଲି ସେଇଥିରେ ପଡ଼ିଲେଇଁ ଏବେ କଣ କରିବା ସଖି !

୩ୟା –

ଆସ ଗୋ ଆସ ଭୟ କାଇଁକି, ସେ ଟୋକାଟା ଆମର କଣ କରିବ ।

୪ର୍ଥ –

ନାଇଁ ଗୋ ସଙ୍ଗାତେ ! କଲିପରା ମୋର ଗୋଟିଏ କଳଶୀ ଟେକାମାରି ଭାଙ୍ଗି ଦେଇଚି, ମୋତେ ଡର ଲାଗୁଚି ମୁଁ ଯିବିନାଇଁ ପଛକେ ଏଇ ଯମୁନା ଘାଟରେ ବସି ରହିଥିବା ତେଣିକି କେହି ଯାଅନା ।

(ଶ୍ରୀକୃଷ୍ଣ ବାହୁ ବିସ୍ତାର କରି ନିକଟକୁ ଆସିବା)

 

 

ଶ୍ରୀକୃଷ୍ଣ –

କିଗୋ ! ଗୋପୀମାନେ, ତେମେ ସବୁ କଣ ଜାଣନା, ଏ ଯମୁନା ଜଳ ମନା ହୋଇଚି ବୋଲି; ଏବେ ଘାଟ କଉଡ଼ି ଦେଇ ପାଣି ଘେନି ଯାଅ, ନକଲେ ବହୁତ ହଟହଟା କରିବି ।

୧ମା –

କାହ୍ନୁ ! ଏ ଅଧିକାର ତେମେ କେଉଁ ଦିନଠୁଁ ପାଇଲ ମ ? ଦିନେ କାଳେତ ଯମୁନା ପାଣିକି ଘାଟ କଉଡ଼ି କେହି ମାଗନ୍ତି ନାଇଁ, ଆଜି ଏପରି କଥା କିଆଁ କହୁଚ ?

 

 

ଶ୍ରୀକୃଷ୍ଣ –

ତମେମାନେ କଣ ଶୁଣି ନାହଁ ! ଏ ଗପର ମହାଭୋଇ ଗୋବର୍ଦ୍ଧନ ମଲ୍ଲ କାଲି ମଥୁରାକୁ ଯାଇଥିଲେ, ସେ ମୋ ପାଇଁ କଂସମାମୁଁଠାରୁ ଘାଟିଆଳ ଶାଢ଼ୀ ଆଣି ଅଛନ୍ତି । ଯେବେ ତମେମାନେ ପରତେ ନ ଯାଉଛ ତେବେ ଆସ ତମମାନଙ୍କ ଉରଜଶମ୍ଭୁ ଛୁଇଁ ପ୍ରମାଣ କରିବି ।

 

 

୨ୟା -

ବାପକହ୍ନେଇ ! ଏ ଆଭୁଷଣ କଥା କହନା, ବାଟ ଛାଡ଼ି ଦିଅ ଆମେମାନେ ଯିବୁଁ

 

 

ଶ୍ରୀକୃଷ୍ଣ –

ନା, ନା, ମୁଁ କେଭେ ବାଟ ଛାଡ଼ିବିନାହିଁ, ଶୀଘ୍ର ଘାଟ ଦେଇଯାଅ ।

 

ଗୀତ ।

ଘାଟ ଦେଇଯାଅ ଗୋ, ଚାରୁ ଚନ୍ଦ୍ର ବଦନା ।

ପନ୍ଦର ଉରଜା କୁନ୍ଦ ରଦନା । ଘୋଷା ।

ସଂସାର ସାର ଶୋଭା ଛାଣି ଛାଣି, ନିଜ ଅଙ୍ଗରେ ରଖିଅଛ ଆଣି,

ଲେଖିଯୋଖି ଦେଇ ଯାଅ ତରୁଣୀ; କାହିଁପାଇଁ ଆଉ ପଡ଼ୁଛ ଚିହ୍ନା ।୧।

 

ରାଜହଂସର ଗମନ ବଡ଼ାଇ, ବାଦ କରିଣ ଆସିଲ ଛଡ଼ାଇ,

ମୃଗରାଜ କଟି ଶୋଭା କରି ଲୁଟି, ମଧ୍ୟଦେଶେ ରଖିଅଛ ନବୀନା ।୨।

କୁରଙ୍ଗ ଚଞ୍ଚଳ ଈକ୍ଷଣେ ଭରି, ରଖିଅଛ ପରା ନବ ନାଗରୀ,

ପୁଣି ବୋଲାଅ ବଧୁକ ଅଧରୀ, ସହଜେତ ବନପ୍ରିୟବଚନା ।୩।

 

 

ଘନ କେଶି ଗୋ ପଙ୍କଜ ସୁବାସୀ, ବିଶେଷରେ ପୁଣି କର୍ପୁରହାସୀ,

ଏହିରୁ ଯେ ଯେତେ ଲେଖୁଥିଲେ କେତେ ହେବକିନଜାଣ ବରବରନା ।୪।

ଜାଣିଲତ ଏବେ ଦିଅ ସୁମନା; ନଦେଲେ ଯମୁନା ହେଲାଟି ମନା,

ନୃପତିକର ନେବ ଏକ ଚୀନା, ତୁମ୍ଭେ ମୋତେ ଦେବ ରତିଏ ସିନା ।୫।

ଗୋପୀମାନଙ୍କ ଉତ୍ତର ।

ଗୀତ ।

ଯାଅ ଜଣାଗଲା ହେ, ଏବେ ଛାଡ଼ ତୁ ବାଟ ନ ବସାଅ ଅପକୀରତି ହାଟ । (ଘୋଷା)

ଶୁଣ ଶୁଣ ହେ ଛଇଳ କହ୍ନାଇ, ବୃଥାରେ ବାଟ ଓଗାଳ କିପାଇଁ,

ତୁମ୍ଭ ଗୁଣ କେହି ଜାଣିବେତ ନାହିଁ ଆମ୍ଭଙ୍କୁ ସକାଳେ ବୋଲି ବେନଷ୍ଟା ।୧।

ହେ ନୂଆ ନାଗର ରସିକରାଜ, କହିବାକୁ ଏହା ମାଡୁଛି ଲାଜ,

ଯମୁନା ନଦୀରେ ସ୍ନାନ କରିବାକୁ ତହିଁ ପାଇଁ ପୁଣି ହେଲାଣି ଘାଟ ।୨।

ଏହା ଆଉ କାହିଁ ନ ଥିଲା ଦେଖା, ପ୍ରତିଅଙ୍ଗ ଶୋଭା ହୁଅଇ ଲେଖା,

ହାସ ଭାଷ ଗତି ଆଧାର ଉରଜ କେତେ ପ୍ରକାରେ ଲଗାଉଛ ଲଟ ।୩।

ତୁମ୍ଭ ଯୋଗେ ଆଉ ଦିନେ ଏଣିକି, ନ ଆସିବୁଁ ଏ ଯମୁନା ପାଣିକି ।

ବନ୍ଧା ନିଅ ପଛେ ମଥାମଣିକି, ଆଉ ନକର ଏକଥା ପ୍ରଘଟ ।୪।

ଆହେ ନଟବର ଶ୍ୟାମସୁନ୍ଦର, କାହୁଁ ଶିଖିଲ ଏ ଭଙ୍ଗୀ ହୁନ୍ଦର,

ବୟସତ ହୋଇ ନାହିଁ ପନ୍ଦର, ଆଜହୁଁ ହେଲାଣି ଏଡ଼େ ଲମ୍ପଟ ।୫।

୰ ଗୌରଚରଣ ଅଧିକାରୀ

 

ଶ୍ରୀକୃଷ୍ଣ –

ଗୋପୀମାନେ ! ଯେତେ କହିଲେ ମୁଁ କେଭେ ବାଟ ଛାଡ଼ିବି ନାଇଁ, ସ୍ୱଚ୍ଛନ୍ଦରେ ଘାଟ ଦେଇ ଯାଅ; ବିଳମ୍ବରେ ପ୍ରୟୋଜନ ନାହିଁ ।

 

 

୧ମା –

ଗୋପୀ – କଳାକାହ୍ନୁ ! ଜଳଘାଟରେ ଏପରି ଦ୍ଵନ୍ଦ କରିବା ଭଲ ନୁହେଁ, ବେଗେ ବାଟ ଛାଡ଼ିଦିଅ, ଆମ୍ଭେମାନେ ଯିବୁଁ ।

 

ଗୀତ ।

(କଳାମାଣିକ ବୃତ୍ତେ ।)

 

ଗୋପୀ –

ଛାଡ଼ ଛାଡ଼ ବାଟ ଆମ୍ଭେ ଯିବୁ ନିଜ ପୁର ।

 

ଘେନ ଆମ୍ଭ ଦୟାନୀ ଧରିଛୁଁ ତୁମ୍ଭ କର, ଆହେ ବନମାଳି ।୧।

 

 

ଶ୍ରୀକୁଷ୍ଣ –

ଶୁଣ ଶୁଣ ଗୋ ସକଳ ବରଜ ଛଇଳି ।

 

କି କହିବ ଅଧିକ ମୁଁ ସକଳ ପାଇଲି । ଆଗୋ ବ୍ରଜବାଳୀ ।୨।

 

ଅଙ୍ଗୀକାର କରି ଯେହୁ ଧରେ ଯାହା ପାଣି ।

 

ସେ ଯାହା ହୁଅଇ ତାହା ହେବଟିକି ପୁଣି । ଆଗୋ ବ୍ରଜବାଳି ।୩।

 

 

ଗୋପୀଗଣ –

(ତଳକୁ ମୁଖପୋତି ଲଜ୍ଜାରେ ରହିବା ଅଭିନୟ)

 

 

ଶ୍ରୀକୃଷ୍ଣ –

ଏବେ ଜାଣିଲି ତୁମ୍ଭମାନଙ୍କର ଏଥିରେ ସମ୍ମତି ହେଲା ବୋଲି, ଯାହାକି, ତୁନି ହୋଇ ରହିଗଲ, କଥାଅଛି; - ‘ମୌନ ସମ୍ମତିଲକ୍ଷଣ’ ଯାହା ହେଉ ଏହି ଅନୁଗ୍ରହ ମୋ ଠାରେ ସର୍ବଦା ରଖିଥିବ; ମୁଁ ବିଦାୟ ହେଉଛି, ତୁମ୍ଭେମାନେ ଆପଣା ଆପଣା ଘରମାନଙ୍କୁ ଯାଅ । (ଏହା କହି ପ୍ରସ୍ଥାନ)

 

 

୧ମା

ଗୋପୀ – ଆଗୋ ସହି ! ଶୁଣିଲଟି ?

 

 

୨ୟା –

ଆଗୋ ! ଏକଥା ଶୁଣି ମୋତେ କାବା ଲାଗୁଚି, ମେଞ୍ଚଡ଼ ପିଲା ଖଣ୍ଡକର କେଡ଼େ କଥାମ ?

 

 

୩ୟା –

ହଇଗୋ ! ସେ ଯାହା କହିଲା, କଣ କେହି ଉତ୍ତର ଦେଇ ପାରିଲ ?

 

 

୪ର୍ଥା –

ସଙ୍ଗାତମ ! ସେ ଟୋକାଟାତ ଏଇ ଦିନୁ ଏପରି ହେଲାଣି, ଆଉ ପୁଣି ବୟସ ଲାଗିଲେ କଅଣ ନ କରିବ ! ଏବେ ଆସ ଆସ, ନିଜ ମହତ ସମ୍ଭାଳି ଘରକୁ ଯିବା ।

 

 

୫ମା –

ଚାଲ ଗୋ, ଚାଲ । (ସକଳେ ପ୍ରସ୍ଥାନ)

 

ପରଦା ପତନ ।

 

ତୃତୀୟ ଅଙ୍କ

ପ୍ରଥମଦୃଶ୍ୟ – ଗୋକୁଳ ପଥ

(ଗୋପୀମାନେ କୁମ୍ଭକାଖେଇ ଯାଉଥିବା)

 

୧ମା –

ସଙ୍ଗାତମ ! ଯଶୋଦାରାଣୀଙ୍କ ପୁଅଟି ବଡ଼ କୌତୁକିଆ ହୋଇଚି ଗୋ,

 

 

୨ୟା –

`ଆଗୋ ! ସେ ଯେତେ ରଙ୍ଗ ଜାଣିଲାଣି ଗୋ ସଙ୍ଗାତେ ?

 

 

୩ୟା –

ତମେତ ବଡ଼ ବିପରୀତ କଥା କହୁଚ ? ସାମାନ୍ୟ ଛୁଆ ଖଣ୍ଡେ, ସେ କି ରଙ୍ଗ ରହସ୍ୟ ଜାଣିଲାଣି ବୋଲି କହୁଚ ମ ?

 

 

୨ୟା –

ଆଗୋ ! ତମେ ଜାଣିନାହଁ ତା ରୀତିଗତିଯାକ ସବୁ ସଂଗାତ ଆମର ଜାଣନ୍ତି ତାକୁ ପଚାର ସେ କହିବେ (୧ମା ପ୍ରତି) କହିବଟି ଗୋ ସଙ୍ଗାତେ, ସେଦିନ ଯମୁନା ଘାଟ କଥା ପରା ପରତେ ଯାଉନାହାନ୍ତି ଶୁଣନ୍ତୁ ।

 

 

୩ୟା –

(୧ମା ପ୍ରତି) ହଇଗୋ ଓଶକା ! କଣ ଜାଣିଚ କହିଲ ଭଲା

 

 

୧ମା –

ତେବେ ଆମେ ଦି ସଙ୍ଗାତଯାକ କହୁଛୁ ଶୁଣ –

 

 

୩ୟ ପୌଗଣ୍ଡ ଲୀଳା ନାଟକ

ଗୀତ ।

 

ନବଘନ କାଳିଆ ଚାନ୍ଦ ! ଭ୍ରୂଳତା ନଚାଇ ଚାହିଁଲାଣିତ ।

ନବୀନ ବୟସୀ ନାଗରୀମାନଙ୍କୁ ନବରଂଗ ବାଣୀ କହିଲାଣିତ । ଘୋଷା ।

ବାନ୍ଧିଲାଣି ଯତନେ ଚୂଳ, ପିନ୍ଧିଲାଣି ପିତ ହୁକୂଳ,

କୁଳବତୀ କୁଳ ବୁଡ଼ାଇବା ପାଇଁ ଢମାଳିଆ ଗୀତ ଗାଇଲାଣି ତ ।୧।

 

ନ ଜାଣିଲା ପରାୟେ ହୋଇ, ନାରୀଙ୍କର ପାଶେ ମିଲଇ,

ପରିହାସ ବାଣୀ ଶୁଣିବା ପାଇଁକି କର୍ଣ୍ଣ ଡେରି କରି ରହିଲାଣିତ ।୨।

ବାଳମେଳେ ଖେଳ କୌତୁକ, ତହିଁ ସ୍ନେହ ନାହିଁ ଅଧିକ;

ଆରମ୍ଭରେ ତାଙ୍କ ସାଙ୍ଗେ ଥାଇ ଆନ ଆନଭାବ ହୃଦେ ବହିଲାଣିତ ।୩।

 

ଅଙ୍ଗଦେଶେ ଅନଙ୍ଗ ତାର; ଜଣାଗଲା କଲାଣି ଘର,

ଏକା ହୋଇ ତାର ପାଶକୁ ଯିବାକୁ ଦକା ହୃଦୟରେ ରହିଲାଣିତ ।୪।

ଆଗୋ ସାହି ପରାଣ ଆଳି, ଅଳ୍ପଦିନ ଥାଅ ସମ୍ଭାଳି,

କେଳି ରଚିବାକୁ କୁଞ୍ଜେ ବଞ୍ଚିବାକୁ ଅନୁକୂଳ ଆସି ହୋଇଲାଣିତ ।୫।

୰ ଗୌରଚରଣ ଅଧୀକାରୀ

 

୩ୟା –

ହୋଇଗୋ ଓଶକା ! ଏତେ ରଙ୍ଗସେ ଜାଣିଲାଣି ! ଏଇ ଦିନୁତ ବଇଁଶି ଖଣ୍ଡେ ହାତରେ ଧରି ଫୁଙ୍କି ଶିଖିଲାଣି ସେ ଯେତେବେଳେ ସେଇ ମୋହନ ବଂଶୀ ଖଣ୍ଡିକ ବଜେଇବ ଆଉ ତ କାହାରି ବାକି ରହିବ ନାହିଁ ।

ଗୀତ ।

(ଆଜି ବନମାଳୀ ଯା ନା ପଡ଼ିଗଲି ତାର ଆଗଟା ଲୋ ମା – ବୃତ୍ତେ)

ସଖି ! ଘନଶ୍ୟାମ ଯେବେ ସେ ମୋହନ ମୁରଲୀ ବଜାଇବେ ଗୋ ।

ଚାରୁ ଚନ୍ଦ୍ରମୁଖୀ ଚତୁରୀମାନଙ୍କ ଚେତା ଚାହୁଁ ଚାହୁଁ ହଜାଇବେ ଗୋ ।।

କୁଳବତୀମାନେ ଏଣିକି, ବାହାରିବେ ନାହିଁ କେଣିକି ।

ଯେବେ ବିହିବଶେ ମିଳିବେ ତାପାଶେ ଛନକରି ମନ ମଜାଇବେ ଗୋ ।।

ବ୍ରଜେ ଯେତେ ନବ ଅବଳା, ବଳାତ୍କାରେ ସେ ନନ୍ଦବଳା ।

ଗୁରୁ ହୋଇ ଭୀରୁ ନୟନୀମାନଙ୍କୁ ସୁରଶାସ୍ତ୍ର ଅର୍ଥ ବୁଝାଇବେ ଗୋ ।୨।

ନାରୀଙ୍କର ଲାଜମହତ, ଜାଣିଥାଅ ହେଲାଟି ହତ ।

ପାଶରିଥିବା ଯେ କାମକଳା ବିଦ୍ୟା ନିଶ୍ଚୟ କିଶୋର ସଜାଇବେ ଗୋ ।

କେତେ ରଙ୍ଗ ଭୁଲାଇବେଟି, ବନେ ବନେ ବୁଲାଇବେ ଟି ।

ଫୁଲ ସର ପୂଜା କରିବା ପାଇଁକି କୁଞ୍ଜେ ଫୁଲ ଶେଯ ସଜାଇବେ ଗୋ ॥

(୰ଗୌରଚରଣ ଅଧୀକାରୀ)

୪ର୍ଥା –

ଆଗୋ ସହି ! ସେ କାଳିଆ ଟୋକାଖଣ୍ଡକ ଏଣିକି କେତେ ରଙ୍ଗ ରହସ୍ୟରେ ଭୁଲାଇବ ମ ? ରହ, ସବୁ ତ ଅଙ୍ଗେ ଲିଭେଇବ ।

 

ଗୀତ ।

 

(କୁଞ୍ଜବନରେ କାଳିଆ ଦେବତା ବୁଲୁଛି – ବୃତ୍ତେ)

ଭଲା ସେ କାଳିଆ କେତେରଙ୍ଗରେ ଭୁଲାଇବ ।

ମାରି ନୟନ କଟାରୀ ନାରୀମର୍ମ ଫୁଲାଇବ । ଘୋଷା ।

ବଜାଇ କଳ ବାଁଶରି, ମଜ୍ଜାଇବ କୁଳନାରୀ,

କୁଞ୍ଜନୟନୀମାନଙ୍କୁ କୁଞ୍ଜେ କୁଞ୍ଜେ ବୁଲାଇବ ।୧।

 

କରି ନାନା ପରିପାଟି, ଚାହୁଁ ଚାହୁଁ ଜୀବ ଘୋଟି;

ଦ୍ଵିରଦଗମନୀ ଦମ୍ଭ ଦ୍ରୁମକୁ ଦହଲାଇବ ।୨।

ନାନା ରସେ ରସାଇବ, ଅଙ୍ଗେ ଅଙ୍ଗ ମିଶାଇବ,

ନାଗରୀଙ୍କ ଉରଜରେ ତା, କରଜ ଚଳାଇବ ।୩।

 

କେଡ଼େ ଅବୋଧ ଯୁବତୀ, ଶୁଣି ତା ଭଙ୍ଗୀ ଭାରତୀ,

ବଳେ ଯାଚି ହୋଇ ନବ ଯୌବନକୁ ମୂଲାଇବ ।୪।

ଏକଥା ମନକୁ ଆସେ, ତୋଷିବ ଦମ୍ପତ୍ତି ରସେ,

ଜଘନ ଦୋଳିରେ ବିଜେ କରିଣ ସେ ଝୁଲାଇବ ।୫।

(ସବୁ ଗୋପୀମାନେ ଗୀତ ଗାଇ ଗାଇ ପ୍ରସ୍ଥାନ)

 

ଦ୍ଵିତୀୟ ଦୃଶ୍ୟ – ଯମୁନା ଘାଟ

(ଶ୍ରୀ ଚନ୍ଦ୍ରାବଳୀ ଏକାକୀ ଯମୁନା ପାଣିକି ଯାଇଥିବା ଓ ଶ୍ରୀକୃଷ୍ଣ ବାଟ ଓଗାଳି ଘାଟ ମାଗିବାର)

 

ଚନ୍ଦ୍ରାବଳୀ –

(କଳଶୀ କକ୍ଷେ ତର ତର ହୋଇ ଯିବା ଅଭିନୟ)

ଶ୍ରୀକୃଷ୍ଣ –

(କଦମ୍ବମୂଳରୁ ଛଟକମାତ୍ରେ ଯାଇ ପଥ ଓଗାଳିବା ଅଭିନୟ)

ଚନ୍ଦ୍ରାବଳୀ –

ହଟ ନାଗର ! ମୁଁ ବିନୟୀ ହୋଇ କହୁଛି, ବାଟ ଛାଡ଼ିଦିଅ, ମୁଁ ଯମୁନାପାଣିକି ଯିବି-। କାଳିଆ ସୁନା ! ଆଜି ତମର ଇଏ କି ରଙ୍ଗ ଦେଖୁଚି ?

ଗୀତ ।

(ନ ତେଜିବି ମୁରଲୀଧରା – ବୃତ୍ତେ)

ଏକି ରଙ୍ଗ କାଳିଆସୁନା ! ଛାଡ଼ ଛାଡ଼ ବାଟ ଯିବି ଯମୁନା । ଘୋଷ।

କୁଳ ଭୁଆସୁଣୀ ମୁଁ ପରା, ନ ଜାଣ କି ମୁରଲୀଧରା,

ଦାଣ୍ଡେ ଶୁଣି ଲୋକେ କି ବୋଳିବେ ଶ୍ୟାମ ବାଟଜଗି କର ମହତ ଚୂନା ॥

ତୁମ୍ଭଙ୍କୁ ଟି ମୋହର ରାଣ; କର ନାହିଁ ଏ ହଇରାଣ,

ଦିନେ କାଳେ କେବେ ଏ ରୀତି ତୁମ୍ଭର ଦେଖାତ ନଥିଲା ହେ ନନ୍ଦକାହ୍ନା

(ବ୍ରଜବାସୀ)

ଶ୍ରୀକୃଷ୍ଣ –

ଏତେ ଭଣ୍ଡାଭଣ୍ଡି କଥା ମୁଁ ଜାଣେନା, ଘାଟ କଉଡ଼ି ନ ଦେଲେ କେଭେଁ ବାଟ ଛାଡ଼ିବି ନାହିଁ ।

ଗୀତ ।

ଦେଇ ଯାଅ ଗୋ, ମତେ ଘାଟ କଉଡ଼ି ।

ନହିଲେ ମୁଁ ବାଟ ନ ଦେବି ଛାଡ଼ି ।ପଦ।

କଂସରାଜା ଭଣଜା ମୁହିଁ, ମୋତେ ସେ ଗୋ ଅଛି ଜଗାଇ,

କାଲିଠାରୁ ମୁଁ ତ ନୂଆ ଘାଟିଆଳ ପଣେ ପାଇଅଛି ଏ ରାଜଶାଢ଼ୀ ।୧।

ରଜା ରାଇଜରେ ତୋ ଘର, କରିଅଛ ନାଗରୀ ବର,

ମିଛେ ଏତେ ଭଣ୍ଡାଭଣ୍ଡି କହୁଅଛ କଥାରେ କଥାରେ ଯାଉଛ ବଢ଼ି ।୨।

(ବ୍ରଜବାସୀ)

 

ଚନ୍ଦ୍ରାବଳୀ –

ମୋହନ ! ତୁମ୍ଭଙ୍କୁ ମୋ ରାଣ, ବାଟଛାଡ଼, ମୋ ଶାଶୁ ନଣନ୍ଦ ବଡ଼ ଦୁଷ୍ଟା, ଉଛୁର ଦେଖିଲେ ସେମାନେ ମୋ ଗତି ଓକର ରଖିବେ ନାଇଁ, ଏବେ ମୁଁ ବିନୟ କରି କହିଛି ବାଟ ଓଗାଳ ନା । ବନମାଳି ! ଏ ଅକୀର୍ତ୍ତୀ ଅରଜୁଛ ତୁମକୁ ଲାଜ ମାଡ଼ୁନାଇଁ ?

ଗୀତ ।

(ବିଚକ୍ଷଣରେ, ବିନା ତ ପ୍ରୀତି କେ ଗତି – ବୃତ୍ତେ)

 

ଲାଜନାହିଁ କି, ଏଡ଼େ ଅକୀର୍ତ୍ତୀ ଅରଜ ବରଜେ କାହିଁକି ? ।ପଦ।

ଢଳି ଢଳି ପଥ ଓଗାଳ, ବଳି ପଡ଼ୁଛି କି ନନ୍ଦବାଳ,

ଅଳି ମୋ ସଙ୍ଗେ ଆଉ ନ କର, ଭଳି ନୁହଇ ମୁଁ ତୁମ୍ଭ ଟାପରା ଟାହିକି ॥

 

ବଜାଉଛ ବଂଶୀଖଣ୍ଡ ଧରି, ମଜାଉଛ ଏ ଗୋପ ନଗରୀ,

ରଜା ହେଲକି ଏ ବ୍ରଜପୁରୀ, ହଜାଉଛ ଭଲଗୁଣ ଚତୁର କାହିଁକି ।୨।

ତୁମ୍ଭେ ଦଗାଦର ନାରୀଚୋର, ପତିବ୍ରତ ହଜାଅ ଆମ୍ଭର,

ଏଡ଼େ ନିର୍ଲଜ ଶ୍ୟାମ ସୁନ୍ଦର, କିପାଁ ଅନୀତି କରୁଛ ଗୋପରେ ଥାଇକି ॥

(୰ ରାମ ଚନ୍ଦ୍ର ଛୋଟରାୟ)

 

ଶ୍ରୀକୃଷ୍ଣ-

ସୁନ୍ଦରି ! ଏବେ ମୁଁ ବାଟ ଛାଡ଼ି ଦେଉଛି ନୀର ନେଇ ଘରକୁ ଯା, ମାତ୍ର ଘାଟକଉଡ଼ି ମୋର ବାକୀ ରହିଲା, ସମୟରେ ମୂଳ କଳନ୍ତର ସହିତେ ଲେଖି ଯୋଖି କରି ନେବି ।

 

(ଏହା କହି ପ୍ରସ୍ଥାନ)

 

 

ଚନ୍ଦ୍ରାବଳୀ –

(ସ୍ଵାଗତ) ଆହା ! ଏ ନଟକୁଟିଆଙ୍କ ଦାଉତ ଏଣିକି ସମ୍ଭାଳି ହେବ ନାଇଁ ।

 

(ପ୍ରସ୍ଥାନ)

 

ତୃତୀୟଦୃଶ୍ୟ – ଗୋପଦାଣ୍ଡ

(ସାରଦା, ଚଞ୍ଚଳା; ବିମଳା, ସୁଶୀଳା, ପ୍ରେମଶୀଳା ପ୍ରଭୃତି

ଗୋପିକାମାନେ ଦଧି ପସରା ମୁଣ୍ଡାଇ ମଥୁରା ଯିବାର)

 

ଗୀତ ।

 

ଆସ ଗୋ ସଙ୍ଗାତ, ଆସ ପ୍ରାଣମିତ, ମଥୁରା ହାଟକୁ ଯିବା ଗୋ ।

ଖଟା ହେଲେ ଦହି, କେହି ନେବେ ନାହିଁ, ବହନ ବିକି ଆସିବା ଗୋ ।

କର ଉଚ୍ଛୁର କାହିଁକି ।

କାଲି କଥା ମନରେ ନାହିଁକି ଗୋ ।୧।

 

ସେ ନନ୍ଦକୁମର, ଯେତେ ହରବର, କରିଛି ଯମୂନା କୂଳେ ଗୋ ।

ଜୀବଥିଲେ ନିକି, ମନରୁ ତା ଯିବ, ଭାବିଲେ ଅନ୍ତର ଜଳେ ଗୋ ।

ସଖି ମନରେ ବିଚାର ।

ଏହା ସେହି କହ୍ନାଇକି ଡର ଗୋ ।୨।

 

ଦିନକୁ ଦିନ ସେ କେତେ ନବରଙ୍ଗେ ବଢ଼ି ବଢ଼ି କହେ କଥା ଗୋ ।

ତା ଚରିତ ଯାକ ଲେଖି ବସିଲେତ ହୋଇବ ଗୋଟିଏ ପୋଥା ଗୋ ।

ସେ କାଳିଆ ନନ୍ଦଚାଟ ।

ଜଗିଲାଣି ପରା ବାଟ ଘାଟ ଗୋ ।୩।

(କମଳାନାମ୍ନୀ ଜନୈକା ଗୋପୀର ପ୍ରବେଶ)

 

କମଳା –

ହଇ ଗୋ ! ଏତେ ଡରଭୟ କାହିଁକି ମ ? ସେ ଟୋକାଟା ବାଟଘାଟ ଜଗି ଆମମାନଙ୍କର କଅଣ କରି ପାରିବ ? ଚାଲ, ଚାଲ, ଆମେ ତା, ଆଡ଼କୁ ନ ଚାହିଁଲେ ତ ଗଲା, ସିଏ କେତେ ନବରଙ୍ଗ ହେବ ହେଉଥାଉ, ଚାଲ ଆମେମାନେ ନିର୍ଭୟରେ ମଥୁରା ହାଟକୁ ଯିବା ।

 

 

ସାରଦା –

ଆଗୋ ! ତମେ ଯାହା କହିଲ ସତ, କିନ୍ତୁ ସେ ଯମୁନା ଘାଟିଆ ଖଣ୍ଟ ଯଦି ଟେକା ପଥର ମାରି ଆମମାନଙ୍କ ଦଧି ପସରା ଭାଙ୍ଗେ, ତେବେ ଆମ ଜୀବିକା ବୁଡ଼ିବ ଯେ ।

 

 

ଚଞ୍ଚଳା –

ହୋଇ ଗୋ ସାରଦା ! ଖାଲି ଜୀବିକା ବୁଡ଼ିବ ବୋଲି କଣ କହୁଚମ ? ସେ ଯେଉଁ ହଟହଟା କରେ ତା, କିଏ ସହିବ କହିଲ ଭଲା ।

 

 

ବିମଳା –

ଆଗୋ ! ଦିନେ ହେଲା କି ସହିବା ? ଏଇ ପରି ନୀତି ନୀତି ବୋଲଣା କରିବ ଯେ କିଏ କେତେ ସହିବ ?

 

 

ସୁଶୀଳା –

ଓଶକାମ ! ସେ ରାଜାଘର ପୁଅ ବୋଲି ଡରିମରି ସିନା କେହି କିଛି ନ କହି ସହି ଯାଉଛଇଁ, ମାତ୍ରକ ଏଣିକି ଆଉ ସହି ହେବ ନାହିଁ । ଯା ହେବାର ହେବ ପଛକେ କଂସ ରାଜା ଆଗରେ ଗୁହାରି ନ କଲେ ଆମ୍ଭମାନଙ୍କର ଆଉ ଗତି ନାହିଁ ।

 

 

ପ୍ରେମଶୀଳା –

ସୁଶୀଳେ ! ତମେ କଂସ ରାଜା ଆଗରେ ଗୁହାରି କରିବ ବୋଲି ଚଜୁଚ ଯେ ସେ କଣ ତା’ ମାନିବ, ଦେଖିନାହଁ ନା ଶୁଣିନାହଁ, କଂସ ପରା କପଟରେ ମାରିବା ପାଞ୍ଚିକରି କେତେ କେତେ ବୀରମାନଙ୍କୁ ପଠାଇ ହତାସ ହୋଇ ରହିଲାଣି ? ପୁତନା ଅସୁରିଠାରୁ ଆରମ୍ଭ କରୀ ଶକଟା, ତୃଣା ସହିତେ କେତେ ବୀର ନ ମାରିଛି କହିଲ ଭଲା ? ନନ୍ଦ ସୁତର ସେତିକି ଡରଭୟ ନାହିଁ, ନିଶ୍ଚେଁ ଆମରିମାନଙ୍କ ଜାତି ସହିତ ବୁଡ଼େଇବାକୁ ଏ ଗୋପ ପୁରରେ ଜାତ ହେଇଚି ।

 

 

ସାରଦା –

ସହି ଗୋ ! ଏତେ ବିଚାର କାହିଁକି ପଡ଼ିଚି, ସେ ଯାହା କରିବ କରୁ ପଛକେ, ଆସ ଆମେମାନେ ମଥୁରା ହାଟକୁ ଯିବା ଆଉ ଜାତି ମହତକୁ ଆଶା ରଖିଲେ ଆମେମାନେ ଚଲିପାରିବା ନାହିଁ, ଜଣାଯାଉଛି ଦିନକୁ ଦିନ ତା ଏ ରୀତି ବଢ଼ିଲା ପରି । ଏବେ ଆସ ଆସ ଦୁଇ ଗୀତ ଗାଇ ଗାଇ ହାଟକୁ ଯିବା ।

 

ଗୀତ ।

 

(ଆଳିବନମାଳୀ ଯାନା – ବୃତ୍ତେ)

ନିଶ୍ଚେଁ ନନ୍ଦସୁତ ସଖି ! ଜାତି ମହତକୁ ବୁଡ଼ାଇବ ଗୋ ।

ପତୀବ୍ରତା ସତୀ ଧୁତିଧ୍ଵଂସବାନା ଜଗତ ଯାକରେ ଉଡ଼ାଇବ ଗୋ ॥

ଦିନକୁ ଦିନତ ଅନେକ, ବଢ଼ାଇବ ପୀରତି ଟେକ,

ଅତନୁ ଶରରେ ନୂତନା ମାନଙ୍କ ସୁତନୁ ତନୁକୁ ସଢ଼ାଇବ ଗୋ ।୧।

 

ଦେଖାଇ ନାଗର ଭଙ୍ଗୀକି, ବଢ଼ାଇବ ଚିତ୍ତକୁ ସଖି !

ଅନ୍ତଃପୁରେ ଥିବା ଅଙ୍ଗନାମାନଙ୍କୁ ଅମଡ଼ା ବାଟୁଟି ମଡ଼ାଇବ ଗୋ ॥

ବଜାଇଣ ମୋହନ ବଂଶୀ, ମଜାଇବ ବରଜବାସୀ,

ହଜାର ହଜାର ନବ ଯୁବତୀଙ୍କି ନିକୁଞ୍ଜ ବନକୁ କଢ଼ାଇବ ଗୋ ।୩।

(ସମସ୍ଵରେ ଗୀତ ଗାଇ ଗାଇ ଯିବା ସମୟରେ ପଟ୍ଟ କ୍ଷେପଣ)(ବ୍ରଜବାସୀ)

 

ଚତୁର୍ଥଦୃଶ୍ୟ – ଯମୁନାଘାଟ

(ଶ୍ରୀକୃଷ୍ଣଙ୍କ ପ୍ରବେଶ)

 

ଶ୍ରୀକୃଷ୍ଣ –

(ସ୍ଵାଗତ ଆଜି ଗୋପୀମାନେ ମଥୁରା ହାଟକୁ ଦଧି ବିକିବାକୁ ଯିବେ, ମୁଁ ଏଠାରେ ଗୋଟିଏ କୌତୁକ ଭିଆଇବି, ଏହି ଅଦିନ ବର୍ଷାରେ ଯମୁନା ନଦୀକି ବଢ଼ାଇ ଜଳପୂର୍ଣ୍ଣ କରାଇଦେବି । ଯେତେବେଳେ ଗୋପୀମାନେ ନାଉରୀକି ଖୋଜିହେବେ ତାଙ୍କର ଅତିଶୟ କାତରତା ସମୟ ଦେଖି ମାୟା ନାବିକ ରୂପରେ ଜଣ ଜଣ ଦୁଇକରି ପାରି କରିବାକୁ କହିବି, ଚନ୍ଦ୍ରାବଳୀତ ସେମାନଙ୍କ ସାଙ୍ଗରେ ଥିବ ତାକୁ ପାରି କରିବା ଛଳରେ ନୌକାବିହାର କରି ମନକାମନା ପୂର୍ଣ୍ଣକରିବି, ଏବେ ଯାଉଛି ଏଇ କଦମ୍ବ ବନରେ ଛକି ବସିଥାଏଁ ।

 

 

(ପ୍ରସ୍ଥାନ)

 

 

(ଦଧିପସରାମାନେ ମୁଣ୍ଡାଇ ଗୋପୀମାନଙ୍କ ପ୍ରବେଶ)

 

 

 

 

ସାରଦା –

ଆଗୋ ସହି ! ଦେଖିଲଣି ଗୋ, ଯମୁନା ନଈ କିପରି ଦୁଇକୂଳ ଖାଇ ବଢ଼ିପାଣି ଲହରୀ ମାରୁଛି, ଆଉ ମଥୁରା ହାଟକୁ ଯିବାପାଇଁ ତରତର ହେଉଛ କଣ, ଏବେ ଆମମାନଙ୍କର ସବୁ ବିଚାର ସରିଲା ଗୋ, ସରିଲା । କିପରି ପାରିହେବା କହିଲ ଭଲା ?

 

 

 

 

ଚଞ୍ଚଳା –

ଆଗୋ ସତେ ଗୋ ଭଉଣୀ ! ଆମେମାନେତ ଏବେ ବଡ଼ ହାଟ ହଟାରେ ପଡ଼ିଲେଣି, ଦେଖ, କିପରି ମହାପ୍ରଳୟ ଘଟିଲା ଭଳି ଯମୁନା ନଈ ଦୁଇ କୂଳ ଖାଉଚି,

 

 

(ଗୀତ)

ଦେଖ ସହଚରି ଗୋ ! ମହାପ୍ରଳୟ ବାରି ।

ଦୁଇ କୂଳ ଖାଇ ଯମୁନା ବହଇ କି ରଙ୍ଗରେ ଜଳ ମାରେ ଲହରୀ ।

 

(ଘୋଷା)

 

କରୁଅଛି ଘୋର ତର୍ଜନ,      ତହିଁକି ତା ଘୋର ଗର୍ଜନ,

ଦେଖିବାକୁ ଅତି ଭୟ ଲାଗୁଅଛି ଯୋଜନେ ପର୍ଯ୍ୟନ୍ତ ରହିଛି ପୁରୀ ।୧।

ହୋଇ ଅତିଶୟ ଚଞ୍ଚଳ,       ଜଳ ବଢ଼େ ବେଳକୁ ବେଳ,

ଥଳ କୂଳ କିଛି ଦେଖାଯାଉ ନାହିଁ ଚାହିଁ ଦେଲେ ବୁକୁ ଯାଉଛି ଥରି ।୨।

 

କେତେ କେତେ ମୀନ ମକରେ,       ଭାସି ଯାଉଅଛନ୍ତି ନୀରେ,

ଠାବେ ଠାବେ କୁଳୁକୁଳୁ ନାଦ କରି ବୁଲୁ ଅଛି ଜଳ ମାରି ଭଉଁରୀ ।୩।

ଏହା ହେବ କାହାକୁ ଜଣା,       ନଦୀ ପଡ଼ି ନ ଥିଲା ଶୁଣା,

କେତେ ଶ୍ରମ କରି ପସରା ସଜାଡ଼ି ସଦନରୁ ଆସିଲଇଁ ବାହାରି ।୪।

 

ବିମଳା –

ଆସ ଗୋ, ଆସ ଆଉତ ମଥୁରା ହାଟକୁ ଯାଇପାରିବା ନାଇଁ, ଆସ ଆପଣା ଆପଣା ଘରମାନଙ୍କୁ ଫେରିଯିବା ।

 

 

ସୁଶୀଳା –

ଆଗୋ ବିମଳେ ! କେମିତି କଥା କହୁଚମ ? ଏତେ ଦହି ଦୁଧ କଣ ବୃଥା ହେବ-? ରହ ଏ ଅଦିନ ବଢ଼ି କଣ ଛିଡ଼ିଯିବ ନାଇଁ, ଏଇଠି ସମସ୍ତେ ବସ, କାଳେ ନାବିକ କେହି ଆସି ପହଞ୍ଚେ, ତେବେତ ସ୍ୱଚ୍ଛନ୍ଦରେ ପାରି ହୋଇ ମଥୁରା ହାଟକୁ ଯିବା; ଟିକିଏ ଏକା ବିଳମ୍ବ ହେବ, ହେଉ ପଛେ କଣ କରିବା, ଏମିତି କଣ ସମୟ ଅସମୟ ନାଇଁ ଯେ ଘରକୁ ଫେରିଯିବାକୁ କହୁଚ ? ସମସ୍ତେ ଏଇଠେଇ ବସ ।

 

 

ସାରଦା –

ହେଉ ତେବେ, ବସ ଗୋ ସହି, ବସ ।

 

(ସମସ୍ତେ ନଦୀ କୂଳେ ବସି ଭାଲି ହେବା)

 

 

ପ୍ରେମଶୀଳା –

ଆଗୋ ! ଏଠେଇ ତୁନି ହୋଇ ସମସ୍ତେ ବସି ରହିଲ ଯେ ? ଯଦି ନନ୍ଦପୁଅ କଳା କାହ୍ନୁ ଆସି ପହଞ୍ଚିଯାଏ ତେବେ କଣ କରିବ କହିଲ ଭଲା ?

 

 

ଚନ୍ଦ୍ରାବଳୀ –

ଆଗୋ ! ମତେତ ସେଇ କହ୍ନେଇକି ଡର ଗୋ ସବୁରି କଥା ଆଡ଼େ, ଏକା ମୋ ଦଶା ଯେ କଣ ହେବ ତା କହିଲେ ସରିବ ନାଇଁ, ମୁଁ କାହିଁକି ତମମାନଙ୍କ ସାଙ୍ଗରେ ଆସୁଥିଲି ଟି ।

 

 

ଚଞ୍ଚଳା –

ସଖି ଦେଖିଲଣୀ ଗୋ ! ଗୋଟିଏ ବୁଢ଼ା ଧୀବର କିପରୀ ନାବ ବାହି ବାହି ଏଇ ଆଡ଼େ ଆସୁଚି ।

 

 

ବିମଳା –

ଆଗୋ ସତେ ଗୋ ! ଦେଖୁଚଟି କି ? କେମିତି ହୀନମାନିଆ ବେଶ ହୋଇଛି ।

 

 

ସୁଶିଳା –

କାହିଁ କେମିତି ମ ?

 

 

ବିମଳା –

ଏଇଠି ଦେଖ ଦେଖ; (ନେପଥ୍ୟକୁ ଅଙ୍ଗୁଳି ଠାରି)

 

ଗୀତ ।

 

ଅତିବୃଦ୍ଧ କଳେବର ତିନିକୁଳ ପିଠି ।

ପିନ୍ଧା ଛିଡ଼ା ଲେଙ୍କଡ଼ା କନାରେ ସାତ ଗଣ୍ଠୀ ଗୋ ॥

ନାବ ପୁର୍ବ ଭାଗେ ଭିଡ଼ ଅଛି ସେ ଅଝାଲ ।

ଆବର ଅଛଇ ତାହିଁ ମତ୍ସ୍ୟମରା ଜାଲ ଗୋ ॥

 

କରେ କାତ କେରୁଆଳ ମୀନ ଭୂଷା ତେଣ୍ଟା ।

କ୍ଷଣକୁ କ୍ଷଣ ସଳଖୁଅଛି ନିଜ ଅଣ୍ଟା ଗୋ ॥

ଦଣ୍ଡେ ସଳଖ ହେଉଛି ଦାଣ୍ଡେ ପୁଣି ନଇଁ ।

କାସ ଉଥିବାରୁ ତାକୁ ମାରୁ ଅଛି ଧାଇଁ ଗୋ ॥

 

ବୁକୁ ହସ୍ତେ ଆଉଁଶି ହୁଅଇ ଥର ହର ।

ନୟନକୁ ଲେଉଟାଇ ନିଶ୍ଵାସ ପ୍ରଖର ଗୋ ॥

ଖାଳୋଇ ଖଣ୍ଡକ ପୁଣି କନ୍ଧେ ଅଛି ପଡ଼ି ।

ମସ୍ତକରେ ଭିଡ଼ି ବାନ୍ଧିଅଛି କନା ଧଡି ଗୋ ॥

 

ପଦେ ପଦେ ଗାଉଅଛି ଢମାଳିଆ ଗୀତ ।

ବାହୁ ଅଛି ଧୀରେ ନାବ ଏ ବୁଢ଼ା କୈବର୍ତ୍ତ ଗୋ ॥

(୰ ଗୌର ଚରଣ ଅଧୀକାରୀ)

ପ୍ରେମଶୀଳା –

ସଖି ଗୋ ! ଭଲ ସମୟକୁ ନାବ ଆସି ପହଞ୍ଚିଲା । ଆମର ଆଉ ଚିନ୍ତା କଣ ?

ଚନ୍ଦ୍ରାବଳୀ –

ସଖି ! ସେ ବୁଢ଼ା କେଉଟକୁ ଡାକ; ଡାକ; ବେଗେ ନାବ ଘେନି ଆମ ପାଖକୁ ଆସୁ ।

ଚଞ୍ଚଳା –

ସଖି ! ସମସ୍ତେ ମିଶି ଡାକ ଯେ, ସେ ଶୁଣିବ, ନଇଲେ ସେ ଯଦି କାଲ ହୋଇଥିବ ଜଣକ ଡାକ କିପରି ଶୁଣିବ ।

ସୁଶୀଳା –

ହଁ ଗୋ ସହି ! ସତ କଥା କହିଲ, ସମସ୍ତେ ମିଳି ଏକ ସ୍ଵରରେ ଗୀତ ଛଳରେ ଡାକିବା ।

ସମସ୍ତେ –

(ଉର୍ଦ୍ଧ୍ୱ ହସ୍ତେ)

 

ଗୀତ । କୀର୍ତ୍ତନ ସ୍ଵର ।

ଆସରେ ବୁଢ଼ା କେଉଟ ଆସ ବେଗ କରି ।

ପାରି କରିଦେଲେ ଆମ୍ଭେ ଯିବୁ ମଧୁପୁରୀ ॥

ନ ଶୁଣୁଛୁ କାହିଁପାଇଁ ବୁଢ଼ା ଆମ୍ଭ ବୋଲ ।

ଛଦ୍ରମ ଛଇକି ଧରି ହେଉଛୁ କି କାଲ ?

 

ଶୁଣ ଶୁଣ ହେ ମଉସା ଶୁଣ ଆମ୍ଭ ଡାକ ।

ଏକି ବଡ଼ାଇ ତୋହର ଏଡ଼େ ଅବିବେକ ॥

(ଆରେ ଆରେ ବୁଢ଼ା)

 

ନଶୁଣୁ ଯେଣୁ ଏଥର ଖାଇବୁଟି ଗାଳି ।

ନାବ ବୁଡ଼ିଯାଉ ତୋତେ ଖାଉ କିନା କାଳୀ ॥

ଭଲ ଲୋକ ନହୁ ତୁତ ଜାତିରେ ଧୀବର ।

ତୁ କାହୁଁ ଜାଣିବୁ ଭଲମନ୍ଦ ବ୍ୟବହାର ॥

 

ଏଣିକି ଡାକିଲେ ଆମ୍ଭେ ତେଣିକି ତୁ ଚାହୁଁ ।

ଏ ହୁନ୍ଦର ଖଣ୍ଡୀ ବୁଢ଼ା ଶିଖିଲୁ ତୁ କାହୁଁ ?

ଆରେ ଆରେ କୁଜା କାଲ କଣା କେଉଟିଆ ।

ନାବ ଘେନି ଏ ପାଶକୁ ଥରେ ଲେଉଟିଆ ॥

 

ମାଗଣା ଆମ୍ଭଙ୍କୁ ପାରି କରିବୁ ତ ନାହିଁ ।

ଏଡ଼େକ ଅବୁଝା ମଣା କରୁଛୁ କମ୍ପାଇଁ ?॥

ତୋର ଯାହାମୂଲ ଲେଖି ଯୋଖି ନିଅ ଗଣି ।

ପାରି କର ଡାକୁଅଛୁଁ ଏତେ ଗୋପାଳୁଣୀ ॥

(୰ ଗୌରଚରଣ ଅଧିକାରୀ)

 

ମାୟାଧୀବର –

(ଗୋପୀମାନଙ୍କ ନିକଟକୁ ଧୀରେ ଧୀରେ ନାବଆଣି) (କ୍ରୋଧ ପ୍ରକାଶ ପୂର୍ବକ) କିଲୋ ଗୋପୀମାନେ ! ମୋତେ କାହିଁକି ବୃଥାରେ ଏତେ ଗାଳି ଦେଉଛ, ଭଲା ବିଚାର କଲ, ଏପରି ଗୁମାନ ରଖ ଛଳେଇ ଛଳେଇ କହୁଛ ଯେ କିଏ କେତେ ଭାତ ବରତନ ଦେଇଥିଲ ?

 

ଗୀତ ।

କାହିଁପାଇଁ ଏତେ ଗୋ ଗାଳି ଦେଉଛ ମୋତେ ।

ବିଚାରମନକୁ ଏତେ ଗମନକୁ ଭାତ ବରତନ ଦେଇଛ କେତେ । ଘୋଷ।

ନବ ଯଉବନେ ହେଉଛ ମତ୍ତ, ଲାଗିଛି କି ଅବା ମଦନ ଭୂତ,

ରୀତି ଆନ ଆନ ପ୍ରଳାପ ବଚନ ନଦୀକୂଳେ ବୁଲୁଅଛ ସମସ୍ତେ ।୧।

 

ନାନା ବିଡ଼ମ୍ବଣେ ଦେଉଛ ଗାଳି, ମୋତେ ଦେଖି ମେଲ ଢଗଢମାଳି,

ବଳି ବଳି କେତେ କହୁଅଛ କଥା ମୁଁ ତ ଲାଗି ନାହିଁ ତୁମ୍ଭ ସଙ୍ଗତେ ।୨।

କେତେ କଥା କହ ନାସା ଫୁଲାଇ, ଦଣ୍ଡିଗୁଣା ନାକଚଣା ହଲାଇ,

କଟାକ୍ଷ ଚାହାଁଣି ଭଙ୍ଗୀ ଠିଆ ଠାଣି ପରିହାସ ବାଣୀ କହୁଛ ଯେତେ ।୩।

 

ପୁଣି ଜାତି ଗୋତ୍ର ଖୋଲୁଛ ମୋର, କହୁଛ ମରମ ଅତି କଠୋର;

ଯେପରି ତୁମ୍ଭର ଜାତି କୁଳାଚାର ସେମାନତ ଜଣାଅଛି ଜଗତେ ।୪।

ଦଧିଭାଣ୍ଡସାନ ମୁଣ୍ଡାଇ ମୁଣ୍ଡେ, ନୀତି ବୁଲୁଥାଅ ମଥୁରା ଦାଣ୍ଡେ,

ଚାଲେ ଦହିରେ ଢାଳେ ପାଣି ମିଶାଅ ଧର୍ମାଧର୍ମକୁ ନ ବିଚାର ଚିତ୍ତେ,

 

ଠାବେ ଠାବେ ତୁମ୍ଭ ଅନୀତିମାନ, ପଛେ ବାଛୁ ଥାନ୍ତି ଜଗତ ଜନ,

ବଡ଼ ଦୋଚାରୁଣୀ ଗୋପ ଗଉଡ଼ୁଣୀ କୁଞ୍ଜବନେ ବୁଲୁଥାନ୍ତି ସନ୍ତତେ ।୫।

ମୋ ଆଗେ କହୁଛ କେତେ ବଢ଼ାଇ, ନନ୍ଦପୁଅ ସଙ୍ଗେ ଥାଅ ଗୋଡ଼ାଇ

ମୁରଲୀ ସ୍ଵନକୁ କର୍ଣ୍ଣ ଡେରିଥାଅ ଭୋଳ ହୁଅ ତାର ଢମାଳି ଗୀତେ ।୬।

 

(୰ଗୌରଚରଣ ଅଧୀକାରୀ ।)

 

ଗୋପୀମାନେ –

(ତାଟକା ହୋଇ ବିନୟରେ) ଧୀବର ମଉସା ! ବେଗେ ଆମମାନଙ୍କୁ ପାରି କରିଦିଅ, ଆମେ ସମସ୍ତେ ଏ ଦୋଷ ମାଗିନେଉଛୁ, ଆଉ ଆମମାନଙ୍କ ପ୍ରତି ରାଗ ହୁଅନା, ଏବେ ପାରିକର ।

 

ଗୀତ।

 

କର ଏବେ ପାରି ହୋ ! ନାବ ବିନୋଦକାରୀ ।

ଛାଡ଼ ମନୁ ରୋଷ, ସବୁ ଆମ୍ଭ ଦୋଷ କହୁ ଅଛୁ ତୋର ଚରଣ ଧରି ।୧।

 

ତୁହିତ ବିବେକ ବିଶେଷରେ ବୃଦ୍ଧ; ଆମ୍ଭ ବାଣୀ ଶୁଣି ହେଉଛୁ କ୍ରୋଧ,

ନାରୀଙ୍କ ଦୋଶ ପୁରୁଷେ ନ ଘେନନ୍ତୀ ସହଜେ ତ ଆମ୍ଭେ ବାଳ କୁମାରୀ

ଅବିଚାର କରି ସକଳ ବାଳି, ତୋତେ ଦେଉଥିଲୁ ଯେତକ ଗାଳି,

ତୁ କିବା ଛାଡ଼ିଲୁ ମରମ ତାଡ଼ିଲୁ ସୁଝାଇଲୁ ତାହା ଦିଗୁଣ କରି ।୨।

 

ଯେତେ ଯେତେ କଥା କହିଲୁ ତୁଟି; ଭାବିଲେ ମରମ ଯାଉଛି ଫାଟି,

ତୁ ନୋହି ଯେବେ କେ ଆନ ହୋଇଥାନ୍ତା ଦେଇଥାନ୍ତୁ ତାର ମହତ ସାରି ।୩।

ଏତେବେଳଯାଏଁ ଆକ୍ଷରୁ ଲୁହ, ରହୁନାହିଁ ପରା ଉଠୁଛି କୋହ,

ସହୁ ନାହିଁ ଦେହ ଏ ଅତି ଦୁଃସହ ବାଣୀ ଶୁଣି ମର୍ମ ହୁଏ ବିଦାରି ।୪।

ନ ବଢ଼ଇ ନଦୀ ନ ଶୁଣୁ ଏହା, କହିଲେ ଅଧିକ କି ହେବ ତାହା,

ଯାହା ଅରଜିଲୁ ସେ ଫଳ ଭଞ୍ଜିଲୁଁ, ଶୁଣିଲେ ହସିବେ ସିନା ଭଗାରି ।୫।

ଗଲା କଥାମନ ଯାଉ ତେଣିକି, ତୋ ଆମ୍ଭ ବିହିତ ରହୁ ଏଣିକି,

କଲେ ବେଗେ ପାରିଯିବୁଁ ମଧୁପୁରି ବେଳ ଥାଉଁ ଥାଉଁ ଆସିବୁଁ ଫେରି ।୬।

ତୋର ଘାଟ ମୂଲ ହେଲା ଯେତେକ, ଲେଖି ଯୋଖିଘେନି ଯାଅ ତେକ

ଅଛି ଯେବେ ମନ ସୁଖେ କରପାନ ଦଧି ଦୁଗ୍ଧସର ଉଦର ଭରି ।୭।

(୰ ଗୌରଚରଣ ଅଧୀକାରୀ)

(ମାୟାଧୀବର – ପ୍ରସନ୍ନ ଭାବେ ଗୋପୀମାନଙ୍କୁ ଚାହିଁ)

ଗୀତ ।

 

କେତେ ଭଙ୍ଗି କରି ଗାଳି ଦେଇ ଅଛ ମେଳି ହୋଇ ଗୋପାଳୁଣୀ ଗୋ

ଶୁଣ ଆଗୋ ନାରୀ କରିବାକୁ ପାରି ଭୟ ଲାଗୁଅଛି ପୁଣି ଗୋ ।

ନାବ ଖଣ୍ଡୀ ମୋ ଦଦରା ସହି ପାରିବ କି ତୁମ୍ଭ ଭାରା ଗୋ ।୧।

ଏକୁଁ ଯଉବନୀ ଘନ ପୀନ-ସ୍ତନୀ ଦୁଜେ ନାନା ଆଭରଣ ଗୋ ।

କଣ୍ଠେ ହାର ଚାପସରୀ । ବିଦା ମୁଦି ଚୁଡ଼ି ଆଦିକରି ଗୋ ।୨।

 

କଟିରେ କଙ୍କିଣି ବାନ୍ଧିଅଛ ପୁଣି ବେନି ଚରଣରେ ବଳା ଗୋ ।

ଏକ ଠାବେ ଠୁଳ କରି ତାହା ତୁଲ କଲେ ଜାଣିବ ଅବଳା ଗୋ ।

ଦଧିଭାଣ୍ଡ ଅଛି ପୁରୀ । ସେତ ବିଶେଷରେ ପୁଣ ଭାରି ଗୋ ।୩।

 

ଏଣୁ ମୋ ଭରସା ପାଉ ନାହିଁ ଯୋଷା ପାରି କରିବା ପାଇଁକି ଗୋ ।

ଦେଖୁଁ ଦେଖୁଁ ଅତି ଅଗାଧ ଜଳରେ ନାବ ମେଲିବି କାହିଁକି ଗୋ ।

ଜାଣୁ ଜାଣୁ ବିମ୍ବଓଷ୍ଠି ! ନୟନରେ ଭୁଷିବ ଅଙ୍ଗୁଷ୍ଠି ଗୋ ।୪।

 

ଏ ମୋର ବୟସ ହୋଇଲାଣି ଶେଷ ମଲେ ମୋ ଶୋଚନା ନାହିଁ ଗୋ ।

ତୁମ୍ଭେ ନାରୀମଣି ମୋହ ସଙ୍ଗେ ପୁଣି ନାଶ ହେବ କାହିଁପାଇଁ ଗୋ ।

ଜୀବ ଥିଲେ ସବୁ ଅଛି । ଜୀବ ବୋଲି କେହି ନୁହେଁ କିଛି ଗୋ ।୫।

 

ଯାଅ ଯାଅ ଫେରି ସକଳ ସୁନ୍ଦରୀ ଏ ସାହସ ପଣ ମୁଞ୍ଚ ଗୋ ।

କର ଘର ଦ୍ଵାର ଯେ ବିଧି ବେଭାର କାନ୍ତ କଳେ ନିଶି ବଞ୍ଚ ଗୋ ।

କହୁଛି ମୁଁ ତୁମ୍ଭ ହିତ । ସତ ମିଛ କି ବିଚାର ଚିତ୍ତ ଗୋ ।୬।

 

ପଛନ୍ତେ ଜଗତେ ବାଛିବେଟି ମୋତେ ନାରୀଙ୍କର ଜ୍ଞାନ ନାହିଁ ଗୋ ।

ତାଙ୍କ ସଙ୍ଗେ ପଡ଼ି ନିଜ ଜ୍ଞାନ ହୁଡ଼ି ନାବିକ ହୋଇଲା ବାଇ ଗୋ ।

ମୋତେ ବୋଲିବେଟି ଧିକ । ବୃଦ୍ଧ କୈବର୍ତ୍ତ କି ଅବିବେକ ଗୋ ।୭।

 

 

୧ମା-ଗୋପୀ –

ନାବିକ ବୁଢ଼ା ! ଆମେମାନେ କରଯୋଡ଼ି ବିନତିକରି କହୁଛୁଁ, ତୋର ପାଦ ତଳେ ଶରଣ ନେଉଛୁ, ତୁ ଆମମାନଙ୍କୁ ଯେପରି ହେଲେ ପାରିକରି ଦେ ।

 

 

ମାୟାଧୀବର –

ତେବେ ଜଣ ଜଣ ହୋଇ ନାବରେ ବସିଲେ ପାରି କରି ପାରେ, ଯଦି ସମସ୍ତେ ଏକାବେଳକେ ବସିବ ତେବେ ଆଉ ମୋତେ ଦୋଷ ଦେବ ନାହିଁ ।

 

 

୨ୟା ଗୋପୀ –

ହେଉ ତେବେ ! ଜଣ ଜଣ କରି ଆମମାନଙ୍କୁ ପାରିକରିଦେ ।

 

 

ଚନ୍ଦ୍ରାବଳୀ –

ନାବିକ ମଉସା ! ମୋତେ ଆଗ ଚଞ୍ଚଳ ପାରି କରି ଦିଅ, ମୋର ଆଗ ପଛକୁ କିଛି ଭାବନା ନଥିଲା । ଏକା ସେଇ ନନ୍ଦ ସୁତ କହ୍ନାଇଁ କି ମୋତେ ବଡ଼ ଭୟ ।

 

 

ଧୀବର –

(ଚକିତ ଭାବେ) ମୁଁ ମଧ୍ୟ ସେଇ ଦୁଷ୍ଟ କାଳିଆ ଟୋକାକୁ ସର୍ବଦା ଡରି ଡରି ନାବ ବାହୁଥାଏ । କାଳେ କେଉଁ ଆଡୁ ଆସି ଟେକା ପଥର ଫିଙ୍ଗି ମୋ ଦଦରା ନାବ ଖଣ୍ଡିକ ଡୁବାଇ ଦେବ, ଏହି ଭୟ ମୋ ମନରୁ କେବେ ତୁଟେ ନାହିଁ ମୋର ଯାହାକୁ ଭୟ ଥିଲା ତୁମେ ଏବେ ତା’ର କଥା କହିଲଣି, ଯାହା ହେଉ ଚଞ୍ଚଳ ଜଣ ଜଣ କରି ନାବରେ ବସ ମୁଁ ପାରି କରିଦିଏ ।

 

 

ଚନ୍ଦ୍ରାବଳୀ –

ମଉସା ! ମୁଁ ସେହି କହ୍ନାଇଁ ଗୁଣ ଭଲ କରି ଜାଣିଛି । ତା, ନାଁ ଶୁଣିଲା ମାତ୍ରେ ମୋ ଛାତି ଥରି ଉଠେ, (ସଖିମାନଙ୍କ ପ୍ରତି) ସଖିଏ ଗୋ ! ତା ରୀତି ଏବେ କିଛି କହୁଛି ସୁଣ ।

 

ଗୀତ ।

ମୁଁ ତ ଜାଣି ଡରୁଥାଇଁ । ତାର ନାମ ଶୁଣି ଥରୁ ଥାଇଁ (ମୁଁ ତ)

ଅସହଣୀଙ୍କର ମେଳି ସହିଣ ମୁଁ ଲୋକ ଲାଜେ ମରୁଥାଇଁ । ଘୋଷ। ।

ଦିନେ ମୋତେ ଏକା ଦେଖି କରି ବକଚିରା ଯାଚି ଦେଲା ସାନ ।

ବୋଇଲା ଏ ମୋର ଉଦ୍ଧାର ରହିଲା ଦେବୁଟି ଅଧର ପାନ ।୧।

 

ଦିନେ ଉପବନେ ଲୁଚି ବସି ଥିଲା ମୋ ଦରଶନ କୁ ଟାକି ।

ନିଦର ହୋଇ କୁସୁମ ତୋଳୁ ଥିଲି ପଛୁଁ ଡକାଇଲା ଯାକି ।୨।

ଆଳି ଓଗାଳି ଗାଳି ଦେଲେ ଯହୁଁ ସେ ପଳାଇଲା ବଂଶୀଧରା ।

କହିଲେ କି ହେବ ସେହି ଦିନଠାରୁ ରହୁ ନାହିଁ ବୁକୁ ଥରା ।୩।

 

ଭଲ ମନ୍ଦ ନନ୍ଦପୁଅଠାରେ ନାହିଁ ନିମମୂଳ ତାର ଖଟି ।

କଞ୍ଜନୟନୀଙ୍କି ଏକାନ୍ତେ ଦେଖିଲେ କୁଞ୍ଜକୁ ନିଅଇ ଛାଟି ।୪।

 

୧ମା –

ଆଗୋ ! ସେଇଥି ପେଇଁ ତମ ଗେରସ୍ତଙ୍କୁ ସେ ଟୋକାଟା ଭାଇ ଭାଇ ବୋଲି ଡାକୁଥାଏ କି ଗୋ ?

 

 

୨ୟା –

ତେମେ କଣ ଜାଣିପାରୁ ନାହଁ କି ଗୋ ସହି ! ଭାଇ ଲେଖା କରି ନ ଡାକିଲେ କେମିତି ପରିହାସ କରିବ, କହିଲ ଭଲା ? ତାକୁ ଯେପରି ଇଙ୍ଗିତ ଭଙ୍ଗି କରିବାକୁ ସୁବିଧା ମିଳିବ ସେ ଟୋକା ସେଇ ବାଟଟି ଖୋଜୁଥାଏ ।

 

 

୧ମା –

ହଁ ଗୋ ସହି ! ସତ କହିଲ, ତାକୁ କଣ ଆଉ ପାରିହେବ, ସେ ପରା ଦିନ କୁ ଦିନ ନୂଆ ନୂଆ ଭଙ୍ଗି ଇଙ୍ଗିତ ଶିଖି ଜାଣିଲାଣି ଗୋ ! ତା କଥା କଣ କହିଲେ ସରିବ-? ତା, ରୀତିଗତି ଯାକ କହିବସିଲେ ପୋଥିଟାକର ପାଠହେବ, ଏବେ ଆଉ ବିଳମ୍ବ ନ କରି ଚଞ୍ଚଳ କେମିତି ପାରିହେବାର ଉପାୟ କର, ନହେଲେ ପଛନ୍ତେ ବହୁତ ହଟହଟା ହେବ ।

 

 

ଚନ୍ଦ୍ରାବଳୀ –

ସଖିଏ ଗୋ ! ମୁଁ ତମମାନଙ୍କ ହାତ ଧରି କହୁଛି ସମସ୍ତେ ସମ୍ମତ କର ମୁଁ ଆଗ ନାବରେ ବସେ ।

 

 

୧ମା –

ମଲା ! ତମେ ଏତେ ଡରୁଥାଅ କିଆଁ ମୋ ? ଏତେ ଗୋପୀ ଆଉ ଥାଉ ଥାଉ ତମର ସେ ଆସି କଣ କରିପକେଇବ, ତମେ କଣ ଏକା ସୁନ୍ଦରୀ ହେଇଚ; ଏ ଗୋପରେ ଆଉ ସୁନ୍ଦରୀ ନାହାନ୍ତି ଯେ ତମକୁ ଏକା ସେ କାଳିଆଟା ରସିଚି ? ଏମିତି ଥରି ଯାଉଚ କାହିଁକି, ଯେବେ ସେ ଟୋକାଟାକୁ ଏତେ ଭୟ ତେବେ ଯାଅ, ଆଗ ହୋଇ ନାବରେ ବସ, କିଏ ନାହିଁ କରୁଚି ।

 

 

୨ୟା –

ଯାଅ ଗୋ ! ଯାଅ, ଚନ୍ଦ୍ରାବଳୀ ନାନି ତମେ ଆଗ ପାରି ହୋଇପଡ, ପରେ ଆମେମାନେ ପାରିହେବୁ । (ଧୀବର ପ୍ରତି) ଧୀବର ମଉସା ! ଆଗ ଆମ ଚନ୍ଦ୍ରାବଳୀ ନାନୀଙ୍କି ପାରି କରିଦେବୁ ଟି ?

 

 

ଧୀବର –

ଆସ ଗୋ ! କିଏ ଚନ୍ଦ୍ରାବଳୀ ନାନୀ, ବେଗେ ନାବରେ ବସ,

 

ଗୀତ ।

 

ନାବମଙ୍ଗ ଆଉଲା ମୁଁ ଧରିଛି ଟାଣି ।

ଆସ ଆସ ନୌକାକୁ ନାୟିକା ମଣି ॥

ଧୀର ହୋଇ ସୁ ମଧ୍ୟମା ମଧ୍ୟରେ ବସ ।

ହଂସ ଗାମିନୀ ଗୋ ମନେ ନୁହ ବିରସ ॥

 

ଚନ୍ଦ୍ରାବଳୀ –

 

(ଧୀରେ ଧୀରେ ନାବରେ ବସି)

ଶୁଣ ଧୀବର ମଉସା ମୋର ଉତ୍ତର ।

ଦର ଲାଗିହେଉଅଛି ମୁଁ ତର ତର ॥

 

ଧୀବର –

 

ଦରକଣ୍ଠୀ ! ଏଡେ ଡର କର କାହିଁକି ।

ତୁମ୍ଭ ମନ ଜାଣି ମୁଁ ଚାଲିବି ନାହିଁକି ?

ଦମ୍ଭ ହୋଇ ବସିଥାଅ ନାବ ମଧ୍ୟରେ ।

ଆହୁଳାକୁ ଚାଲୁଛି ମୁଁ ଧୀରେ ଧୀରେ ॥

(ମାୟା ଧୀବର ଶ୍ରୀକୃଷ୍ଣ ନାବ ବାହୁ ବାହୁ ମାୟାରେ କୁହୁଡ଼ି ବିସ୍ତାର କରାଇବାର)

 

ଚନ୍ଦ୍ରାବଳୀ –

ନାବିକ ମଉସା ! ଏ କଅଣ ହେଲା ? ଏ ଅକାଳ କୁହୁଡ଼ି କୁଆଡ଼ୁ ମାଡ଼ି ଆସୁଛି-? ଆହା ! ମୋତେ ବଡ଼ ଭୟ ଲାଗୁଚି ।

 

 

ଧୀବର –

ଭୟ କରନା, ଭୟ କରନା, ସ୍ଥିର ଭାବରେ ନାବରେ ବସିଥାଅ । (ଏହା କହି ବାହି ବାହି ପ୍ରସ୍ଥାନ)

 

(କୁହୁଡ଼ି ପ୍ରବଳ ହେତୁ ଅଦୃଶ୍ୟ ହେବା ଓ ଗୋପୀମାନେ କାହାକୁ କେହି ଦେଖା ନଯିବାର)

 

 

ଚଞ୍ଚଳା –

ଆଗୋ ! ସାରଦା ନାନି ! ଇଏ କି ଦଣ୍ଡ ହେଲା ଗୋ, ଏ ଅକାଳ କୁହୁଡ଼ି କେଉଁ ଆଡୁ ମାଡ଼ି ଆସିଲା ମ; ବଡ଼ ହରବରରେ ପଡ଼ିଲେଇଁ ଗୋ ସହି ! ବଡ଼ ହରବରରେ ପଡ଼ିଲାଣି ।

 

 

ସାରଦା –

ଆଗୋ ଚଞ୍ଚଳା ! ତୁ କେଉଁଠି ଅଛୁ ? ମତେ ତ ଦେଖା ଯାଉ ନାହୁଁ (ଅଣ୍ଡାଳି ହେବାର) କିଗୋ ! କିଏ କେଉଠି ଅଛ କୁହ ଗୋ ?

 

 

ବିମଳା –

ଆଗୋ ସାରଦା ନାନି ! ମୁଁ ଏଇଠି ଗୋ ମୁଁ ଏଇଠି ।

 

 

ସାରଦା –

ସୁଶିଳା ଆଉ ପ୍ରେମଶୀଳା କାହାନ୍ତି ? ଆଗୋ ! ଆମେ ଦୁହେଁ ଏଠି ବସିଛୁ ଗୋ, ଦହି ହାଣ୍ଡି ସହିତେ ତ କିଛି ଦିଶୁ ନାହିଁ ଏବେ କି ଉପାୟ କରିବା ଗୋ ।

 

 

ସୁଶୀଳା –

ଆଗୋ ! ଉପାୟ କଅଣ କରିବା ବୋଲି କହୁଛ, ତେଣେ ଚନ୍ଦ୍ରାବଳୀ ନାନିକି ନାବିକ ବୁଢ଼ା ପାରି କରିବାକୁ ନେଲା ଯେ ଏବେ କୁଆଡ଼େ ନେଲା ?

 

 

ସୁଶୀଳା -

କେ ଜାଣିଲ ମା ! ତା, କାହାକୁ ଜଣା ? ଆଗୋ ନିଜ କଥା ନିଜେ ସମ୍ଭାଳ, ଚନ୍ଦ୍ରାନାନୀ କଥା ପରେ ବୁଝିବା । ଏବେ କେମିତି କି ଉପାୟ କରିବା କହିଲ ଭଲା ।

 

 

ପ୍ରେମଶୀଳା –

ଆଗୋ ! ଏଥିରେ ଆମମାନଙ୍କୁ କିଛି ବୁଦ୍ଧି ବାଟ ଦିଶୁ ନାହିଁ । କି ଯୋଗରେ ଆଜି ଘରୁ ବାହାରି ଥିଲାଇଁ ଯେ ଏ ହଟହଟାରେ ପଡ଼ିଲାଇଁ । ନିଅଣ୍ଟ ଅଣ୍ଟକୁ ପୁଣି ସଙ୍ଗରୁ ଗୋଟିଏ ସଖୀକି କେଉଟ ବୁଢ଼ାକୁ ସମର୍ପି ଦେଲେଇଁ, ଛି, ଛି, ଏ ଜୀବନ ଧରିବା ଧିକ, ହଇ ଗୋ, କହିଲ ଭଲା କିପରି ଲେଉଟି ଗୋପପୁରକୁ ଯିବା ? ଏଣେ କୁହୁଡ଼ି ଅନ୍ଧାର, ପୁଣି ସାଙ୍ଗ ସଖୀଟିକି ହରେଇ ବସିଛେ, ପୁଣି ନନ୍ଦ ପୁଅ କହ୍ନେଇକି ଡର, ଏତିକି କି ବିଚାର କରିବା କହିଲ ? ୟା ଦେଖି ତ ମୋର ସର୍ବାଙ୍ଗ ଥରୁଛି ।

 

 

ଚଞ୍ଚଳା –

ଆଗୋ ! ଏପରି ହେବ ବୋଲି କିଏ ଜାଣିଥିଲା ? କାହିଁ କିଛି ନଥିଲା, କୁଆଡ଼ୁ କୁହୁଡ଼ି ଖଣ୍ଡେ ମାଡ଼ି ଆସିଲା, ପ୍ରଥମେ ଗୋବର୍ଦ୍ଧନ ପର୍ବତକୁ ଧୋଇଲା, ପୁଣି ଧୀରେ ଧୀରେ ସେଠାରୁ ଖସି କେଳି କଦମ୍ବକୁ ଗ୍ରାସି ପକେଇଲା, ଚାହୁଁ ଚାହୁଁ ତ ବନ ଉପବନ ଚାରିଆଡ଼ଯାକ ଅଦୃଶ୍ୟ ହେଲା ଗୋ ! ନିଜକୁ ତ ନିଜେ ଦିଶୁ ନାହିଁ, ଦୂର କଥା କିଏ ପଚାରେ, ଏବେ କି ଉପାୟ ଏ ଦଣ୍ଡରୁ ଉଦ୍ଧାର ପାଇବା, କହିଲ ସଖି ?

 

 

 

 

 

 

ସାରଦା –

ଆଗୋ ମିତେ ! ଆସ ଆସ ଏଇ କଦମ୍ବ ମୂଳରେ ମୂଳରେ ସମସ୍ତେ ଆଉଜି ରହି ଯାଇଥିବା, ନଇଲେ କାହାକୁ କେହି ଦେଖି ନ ପାରି ବଡ଼ ହରକତରେ ପଡ଼ି ଯିବାଟି ?

 

 

ପରିମଳା –

ହାତ ଧରାଧରି ହୋଇ ଚାଲ ଗୋ, ନଇଲେ ବଣା ହୋଇଯିବା, ଦହିହାଣ୍ଡିମାନ ସାବଧାନ ହୋଇ ମୁଣ୍ଡେଇ ଚାଲ ।

 

 

 

(ସମସ୍ତେ ପ୍ରସ୍ଥାନ)

 

ପଟ୍ଟ ପରିବର୍ତ୍ତନ ।

 

ପଞ୍ଚମ ଦୃଶ୍ୟ – ଯମୁନା ମଧ୍ୟେ ନଉକା ।

(ଧୀବର ବେଶୀ ଶ୍ରୀକୃଷ୍ଣ ନାବରୁ ଅନ୍ତର୍ଦ୍ଧାନ ହେବା ଓ

ଚନ୍ଦ୍ରାବଳୀଙ୍କ କାତର ଭାବ ।)

 

ଚନ୍ଦ୍ରାବଳୀ –

(କାତର ସ୍ଵରରେ) ଆହା ! ଇଏ କି ଦଣ୍ଡ ! ନାବିକ ବୁଢ଼ାଟି ନାବରେତ ଦେଖା ଯାଉନାହିଁ, କୁଆଡ଼େ ଗଲାଟି ? ଦେଖି ଡାକେଁ ।

 

ଗୀତ ।

(ମଧୁକାଳ କି ସୁଖକାରୀ ବୃତ୍ତେ)

କାହିଁଅଛୁ ନାବିକ ମଉସା,

ମତେ ଦେଇଣ ଏ ଘୋର ଦଶା (ଘୋଷା)

 

ବାରେ ଦିଅ ଦେଖା, ଆଉ ନାହିଁ ରକ୍ଷା, ତୁରିତେ ମୋ ଡକା,

ଶୁଣି ଲାଗେ ଶଙ୍କା, ଏ ମଝି ନଦୀରେ ମୋର ତୁଟୁଛି ଭରସା ।୧।

ଆଗ ପଛ ଦୁଇଁ, ବିଚାରିଲି ନାହିଁ ତୋ ଦଦରା ନାବେ ବସିଲି

କମ୍ପାଇଁ, ସଙ୍ଗେ ସଖୀଙ୍କି ହରାଇ ହୋଇଲି ନିଆଶା ।୨।

 

(ବ୍ରଜବାସୀ)

 

(ସ୍ଵଗତ) –

ଓ ନାବଟିର ପୂର୍ବ ମଙ୍ଗତ ବେଳକୁ ବେଳ ଫାଟି ଯାଉଛି, ବିବର ଫୁଟି ନାଆରେ ଆଣ୍ଠୁଏ ପାଣି ପଶିଲାଣି; ମୋରତ ଏଠାରେ ସାହା ସଦର କେହି ନାହିଁ, ଏବେ କି ବୁଦ୍ଧି କରିବିଟି ?

 

 

(ଆର୍ତ୍ତସ୍ଵରେ)

ହେ ଦିନବନ୍ଧୁ ! ହେ କୃପାସିନ୍ଧୁ ! ହେ ଅନାଥର ନାଥ ! ଏ ମହା ଘୋର ବିପଦରୁ ରକ୍ଷା କର, ଏ ଅଥଳ ଜଳରେ ମୋର ଭେଳା ବୁଡ଼ୁଚି, ଉଦ୍ଧାର କର ।

 

(ପରକଲେଣି ଗୋ ବୃତ୍ତେ ।)

(ସ୍ତବ)

 

ହେ ଦିନବାନ୍ଧବ ହେ କରୁଣା ସାଗର,

ଏ ମହାଘୋର ବିପଦୁଁ ମୋତେ ଉଦ୍ଧାର କର ।ଘୋଷା।

ହେ ଅନାଥ ନାଥ ହରି, ଆର୍ତ୍ତ ଆର୍ତ୍ତି ଧ୍ଵଂସକାରୀ ।

ବିପତ୍ତି ନାଶନ ପ୍ରଭୁ ଭକ୍ତ ସୋଦର ।୧।

 

ନ ରଖିଲେ ଭାବଗ୍ରାହୀ, ନିଶ୍ଚେଁ ଭାସିଗଲି ମୁହିଁ ।

କାହିଁ ଅଛ ଦିଅ ଦେଖା ନୁହଁ ନିଷ୍ଠୁର ।୨।

ଆହେ ଶ୍ଵେତ ପଦ୍ମଡୋଳା, ବୁଡ଼ି ଯାଉଛି ମୋ ଭେଳା,

ତମେ ରକ୍ଷା ନ କଲେ ମୁଁ ହେବି କାହାର ।୩। (ବ୍ରଜବାସୀ)

 

ପ୍ରଭୁ ! ପ୍ରଭୁ ! ଶୁଣିବ ନାହିଁ ? ଏ ଅଭାଗିନୀ କୁରୂପିଣୀ ଡାକ କଣ ଶୁଣିବ ନାହିଁ ? ହେଉ, ତୁମ୍ଭର ଯାହା ଇଚ୍ଛା ତା, କିଏ ଅନ୍ୟଥା କରିପାରିବ, ଇଚ୍ଛାମୟ ହେ ! ଏ ଦିନ ହୀନା ଅଧମାପାପିନୀ ଗୋପୀନୀର ଆଉ ଅନ୍ୟ ଗତି ନାହିଁ । ତୁମ୍ଭେ ଯଦି ମାରିବାକୁ ବିଚାରିଅଛ ମାର, ଯଦି ତାରିବାକୁ ବିଚାରି ଅଛ ତାର, (ନାବିକ ପ୍ରତି) ନାବିକ ମଉସା ! ହେ ନାବିକ ମଉସା ! କେଉଁଆଡେ ଗଲୁ ? ନାବ ଗୋଟିକ ଯାକତ କେତେ ଖୋଜିଲିଣି, କାହିଁ ? ନାବିକ ବୁଢ଼ାରତ ଚିହ୍ନ ଖବର ନାହିଁ ? ଆଉ କେଏନ ନାବ ମଙ୍ଗରୁ ପାଣିରେ ଖସିପଡ଼ିଲା, କି ଅବା ତାକୁ କୁମ୍ଭୀର ନେଇଗଲା, କିଛିତ ଜାଣି ପାରୁ ନାହିଁ ? ଆଉ କଣ ଏ ପ୍ରବଳ ସ୍ରୋତରେ ଭାସିଗଲା ? ଆହା ! ମୁଁ ସିନା ତାକୁ ବଳାଇ ବଳାଇ କହିବାରୁ ସେ ନାବ ବାହିଲା, ତା’ର ବା କି ଦୋଷ ? ସେ ତ ଗରିବ ନାବିକ, ଧନ ଲୋଭରେ ପଡ଼ି ଏ ସାହସ କରିଥିଲା, ଆହା ! କେଉଁଆଡ଼େ ଗଲାଟି ? ଏବେ ମୁଁ ତ ପ୍ରାଣରେ ମରିବି, ଯାହା ପୁରୁଷ ହତ୍ୟା ବହିବି ଏହି ବାଧା ହିଁ ବଡ଼ ବାଧା । ରେ ମନ୍ଦବିଧାତା ! ଏଇଆ କଣ ମୋ କପାଳରେ ଲେଖିଥିଲୁ ?

(କାନ୍ଦିବାର)

 

ଶୋକ – ଗୀତ ।

କି କଲି ଆଜି କି ହୁଡା ହୁଡ଼ିଲିଟି, ଜାଣି ଯା ଜହର ଖାଇଲୋଡ଼ିଲିଟି

କାହାକୁ କହିବି କିସ, ଏ ମୋର କରମ ଦୋଷ,

ଧୀବର ବଚନ-ଜାଲେ ପଡ଼ିଲିଟି ।୧।

 

ବିକା ନ ଗଲେ ଏ ଦଧି, ନ ଥିଲା ମୋର କି ନିଧି,

(ଏବେ) ସାନ୍ତାପରିତେ ପଡ଼ି ସଢ଼ିଲିଟି ।୨।

କଲି କି ମନ୍ଦକରମ,       ହେଲି ମୁଁ ମତିଭରମ,

କୈବର୍ତ୍ତ କୁଟ କୁଣ୍ଡରେ ବୁଡ଼ିଲିଟି ।୩।

 

ଶମନ ଭଗିନୀ ଯହି, ତାହାକୁ ନ ଡରି ମୁଁହଁ,

କାଳସଙ୍ଗେ ବାଲ ଧରି ଲଢ଼ିଲିଟି ।୪।

କୂଳମହତ ଛାଡ଼ିଲି, ଐଶ୍ୱର୍ଯ୍ୟାମୃତ ଏଡ଼ିଲି,

ନିଜାଙ୍ଗୁଳିରେ ନୟନ ତାଡ଼ିଲିଟି ।୫।

 

ଏ ଜୀବନ ଯିବାପାଇଁ, ଶୋଚନ ମୋହର ନାହିଁ ।

ସଖିମାନଙ୍କ ସାଙ୍ଗ ଯା ଛାଡ଼ିଲିଟି ।୬।

(ଗୌରଚରଣ ଅଧିକାରୀ)

 

ମାୟାଧୀବର –

କି ଲୋ ଗୋପିନି ! ଦେଖୁଛୁତ ମୁଁ ନାବମଙ୍ଗରେ ଶୋଇ ପଡ଼ିଥିଲି, ତୁ ବୃଥାଟାରେ କାହିଁକି ଏତେ ବୋବାଇ ମରୁଛୁ ?

 

ଗୀତ ।

ନାବମଙ୍ଗେ ଶୋଇଛି ମୁଁ ପ୍ରତ୍ୟକ୍ଷେ ଦେଖୁଛି ।

କାହିଁପାଇଁକି ତୁ ଏଡ଼େ ବୋବାଇ ମରୁଛୁ ॥

କାଲିରାତି ମୀନମାରି ଉନିଦ୍ର ହୋଇଲି ।

ଢୁଳ ଲାଗିବାରୁ ନାବମଙ୍ଗରେ ଶୋଇଲି ॥

 

ଏଥିପାଇଁ କିମ୍ପା ଏତେ କରୁଛୁ ରଦନ ।

ବିରସ ଦିଶୁଛି ତୋର ସରସ ବଦନ ॥

 

ଚନ୍ଦ୍ରାବଳୀ –

(ଧୈର୍ଯ୍ୟ ସହିତ) ନାବିକ ମଉସା ! ତୋତେ ନ ଦେଖି ମୋର ଜୀବନ ପ୍ରତି ଆଉ ଆଶା ନ ଥିଲା, ଏବେ ପ୍ରାଣ ପାଇଲି, ଏଥର ମୋ ମନର ଭୟ ଦୂର ହେଲା, ଯାହାହେଉ ନାବ ବାହା, ମୁଁ ଚଞ୍ଚଳ ପାରିହୋଇ ପଡ଼େ ।

 

 

ମାୟାଧୀବର –

(ଖଣ୍ଡେ ଦୂର ନାବ ବାହୀ ନେଲାପରି) ସୁନ୍ଦରୀ ! ଆଉ ତ ମୋର ନାବ ଚାଲୁ ନାହିଁ, ଦେଖ ! ଚକ୍ରାକାର ହୋଇ ଏଠାରେ ନାବଟି କିପରି ବୁଲୁଛି, ପୁଣି ଟଳ ମଟଳ ହେଉଛି, ବୋଧହୁଏ ବୁଡ଼ିଯିବ, ଆହୁରି ଦେଖ, ପ୍ରଚଣ୍ଡ ପବନ ବହିଲାଣି ଗୋଟା ଗୋଟା ହୋଇ ଲହରୀ ଉଠି ନାବରେ ପାଣି ପଶିଯାଉଛି, ଏଣେ ଦଦରା ଡଙ୍ଗା, ୟା ଦେଖି ତ ମୋର ବୁଦ୍ଧି ହଜିଯାଉଛି, ଏଥର ତ ଉପାୟ ଯାହା ଦିଶୁଛି ତା, କର ।

 

 

ଚନ୍ଦ୍ରାବଳୀ –

(କାତର ଭାବେ ଥରି ଥରି) ଧୀବର ମଉସା ! ମୋତେ କି କଥା କହୁଚୁ ? ଆହା-! ଇଏ କି ଦଣ୍ଡ ମୋର ତ ସର୍ବସ୍ଵ ସରିଯାଉଛି, ମୁଁ କି ବୁଦ୍ଧି କରିବିଟି, ହାଃ ରେ ଦଇବ ! ଏହି କି ମୋ କପାଳେ ଲେଖିଥିଲୁଁ ?

 

 

ମାୟାଧୀବର –

ସୁନ୍ଦରି ! ମୋତେ ଏବେ ସୁବିଚାର ଦେ, କାନ୍ଦିଲେ କଅଣ ହେବ, ମୁଁ କିପରି ନାଆ ପାରିକରିବି ତା,ର ଉପାୟ କହ, ନଇଲେ ମୋ କଥା ସରିଲା, ଏଣିକି ଆଉ ମୋର ବୁଦ୍ଧି ବିଦ୍ୟା କିଛି ନାହିଁ । ଏ ଦୁର୍ଘଟଣା ଦେଖି ମୋର ସର୍ବାଙ୍ଗ ଥରିଯାଉଛି, କି ବିଚାର କରିବା କହ ।

 

ଗୀତ ।

ଶୁଣ ଆଗୋ ଶୁଭ୍ରକେଶି, ପ୍ରମାଦ ପଡ଼ିଲା ଆସି ॥

କି ବୁଦ୍ଧି କରିବା କହ, ବିଦାରି ହେଉଛି ଦେହ ଗୋ ॥

ମୁଁ ମରିବାକୁ ଶୋଚନା, ନାହିଁରେ ପଦ୍ମଲୋଚନା ।

ତୁ ତ ଆନପରି ନୋହୁ, ଭଲଲୋକ ଘର ବୋହୁ ଗୋ ॥

 

ତୋ ପରି ସୁନ୍ଦରୀ କାହିଁ, ନୟନରେ ଦେଖିନାହିଁ ।

କୋଟିବ୍ରହ୍ମାଣ୍ଡ ଖୋଜିଲେ, ଗୋଟିଏ ନ ଥିବେ ଭଲ ଗୋ ।

ମୁହଁ ଥାଉଁ ଥାଉଁ ପୁଣି, ବୁଡ଼ିଯିବୁ ସୁଲକ୍ଷଣି ।

ଆଖିରେ ଏହା ଦେଖିବି, କେମନ୍ତେ ଜୀବ ରଖିବି ଗୋ ॥

(ଏହା କହି ଧୀବର ନୀରବ ହୋଇ ବସିବା ଅଭିନୟ)

 

ଚନ୍ଦ୍ରାବଳୀ –

(କାତରଭାବେ ଆକୁଳରେ) ଧୀବର ମଉସା । ଏବେ ତୁନିହୋଇ ବସି ରହିଲୁ ଯେ କିଛି ଉପାୟ କହୁ ନାହୁଁ କିଆଁ ? ମୁଁ କଅଣ ସତେ ବୁଡ଼ିଯିବି । (କାନ୍ଦିବାର)

 

 

ଧୀବର –

(ଚକ୍ଷୁବୁଜି) ଆଗୋ ସୁନ୍ଦରୀ ! ରହ ଗୋ, ରହ, ମୁଁ ଧ୍ୟାନ କରିସାରେଁ, (ନିଶ୍ଚଳଭାବେ ଧ୍ୟାନ କଳାପରି ରହିବାର) (କିଛିକ୍ଷଣ ଉତ୍ତାରୁ) (ପ୍ରଖର ନିଶ୍ଵାସ ସହିତ ଚମକି ପଡ଼ି ଚନ୍ଦ୍ରବଳୀ ପ୍ରତି) ସୁନ୍ଦର ! କିଛି ଭାବନା କରନା, ଧନ ଦେଲେ ନିଶ୍ଚେଁ ପ୍ରାଣ ରହିବ, ତୋ ଦେହରେ ଏ ଯେଉଁ ରତ୍ନଭୂଷଣ ଅଛି, ସେ ସବୁଠାରୁ ଅତି ଯତନ ହୋଇଛି, ତାକୁ ଗଙ୍ଗାଦେବୀ ଲୋଭେଇଲେଣି, ଲୋଭ ନ କରି ସବୁ ପାଣିକି ଫିଙ୍ଗି ଦେ ।

 

 

ଚନ୍ଦ୍ରାବଲୀ –

(ସ୍ଵାଗତ) ଧୀବର ମଉସା ଯାହା କହୁଚି ମିଛ ନୁହେ, ମୋ ଦେହରେ ଏ ଯେତେ ଅଳଙ୍କାର ଅଛି, ଏପରି ଆଉ ଜଗତ ମଧ୍ୟରେ କା’ ଠେଇ ଥିବ ନାହିଁ ସନ୍ଦେହ, ଆହା ! ୟାକୁ ସବୁ ପୁଣି ମୁଁ ପାଣିରେ ଫିଙ୍ଗିଦେବି ? କେମନ୍ତେ ମୁର୍ଚ୍ଛି ଦେବିଟି, ଦେହ ସୁହା ଯାଉ ନାହିଁତ ? (ପ୍ରକାଶ୍ୟେ) ଏ ଅଳଙ୍କାରମାନ ପାଣିକି ପକେଇ ଦେବାକୁ ମୋର ସତ ବଳୁ ନାହିଁ ।

 

 

ଧୀବର –

(ରୋଷପୂର୍ବକ) ପାମରି ! ତୁ ଏଡ଼େ ଲୋଭୀ, ଧନଲାଗ ମରିବାକୁ ଇଚ୍ଛା କରୁଛୁ, ଧନ ଘେନି କଣ ସ୍ଵର୍ଗକୁ ଯିବୁ ? ମରିଗଲେ କେଉଁ ସୁଖ ପାଇବୁ କହିଲୁ ଭଲା, ଦହିପାଣି ବିକି ତ ଘର କରିଛ, ତୁମ୍ଭେମାନେ କୁଆଡ଼ୁ ବୁଦ୍ଧି ବିଦ୍ୟା ଜାଣିବ ? ମାୟା ପଦାର୍ଥ ଗୁଡ଼ାକୁ ଲୋଭ କରି ଜୀବନ ହରାଇବାକୁ ବସୁଛୁ, ଏବେ ମୋ କଥାମାନି ଅକାରଣେ ପ୍ରାଣ ହରା ନା, ସବୁ ଅଳଙ୍କାରଯାକ ପାଣିକି ଫିଙ୍ଗି ଦେ ।

 

 

ଚନ୍ଦ୍ରାବଳୀ –

(ସମସ୍ତ ଅଳଙ୍କାର ବାହାର କରି ଦଧି ଚାଙ୍ଗଡ଼ାରେ ରଖି ଧୀବରପ୍ରତି) ବୁଢ଼ାମଉସା ! ଏ ଅଳଙ୍କାର ଯାକ ହେଲେ ତୁ ନେ ପଛେ, ପାଣିକି ଫିଙ୍ଗିଦେବାକୁ ମୋର ମନ ବଳୁନାହିଁ । ତୁ ଗରିବ ଧୀବର, ୟାକୁ ହେଲେ ବିକି ଭାଙ୍ଗି ଖାଇବୁ, ଅକାରଣେ ପାଣିକି ଫିଙ୍ଗିଦେବି କାହିଁକି ତୁ ନେ ।

 

 

ଧୀବର –

(କାତଧରି ପିଟିବାକୁ ଉଞ୍ଚାଇ ରୋଷରେ) କିଲୋ ! ହୀନ ଜାତି ଗୋପାଳୁଣୀ ! ତୋର ଏଡ଼େ ଗର୍ବ, ତୋର ଏଡ଼େ ଗାରିମା, ଗଙ୍ଗାଦେବୀଙ୍କ ପଦାର୍ଥ ମୋତେ ଯାଚୁଛୁ ? ଧନ ଧନ ବୋଲି ତୁ କେତେ ଉଦ୍ଧରି ହେଉଛୁ ଲୋ ! ମୋ ପାଦତଳକୁ ଇନ୍ଦ୍ରସମ୍ପତ୍ତି ସମାନ ହେବ ନାହିଁ । ମୋତେ ତୁ ଛାର ଅଳଙ୍କାର ଦେଖାଉଛୁ କଣ ମ ? ଯେବେ ଏ ଅଳଙ୍କାର ସବୁ ମୁର୍ଚ୍ଛି ନ ପାରୁଛୁ, ଏଥିକି ଯେଉଁ ପ୍ରତିକାର ଅଛି ତା କହିବା, ତୁ ପ୍ରତିପାଳି ପାରିବୁତ ? ମୋ କଥାକୁ ଦୃଢ଼ ବିଶ୍ଵାସ କଲେ ଧନ ରହିବ, ଆଉ ମଧ୍ୟ ଜୀବନ ରହିବ ।

 

 

ଚନ୍ଦ୍ରାବଳୀ –

(ହର୍ଷଭାବେ) ମଉସା ! ତାହା କିପରି ମୋତେ କହ, ଏପରି ଉପାୟ ତୋ ପାଖରେ ଥାଉ ଥାଉ ମୋ ଠାରେ ଏତେ କପଟ କରୁଥିଲୁ କାହିଁକି ବାପ ! ଯେପରି କି ଧନ ଆଉ ପ୍ରାଣ ଉଭୟେ ରହିବ ତା’ ର ପ୍ରତିକାର ମୋତେ କହ ।

 

 

ଧୀବର –

ତେବେ କହୁଛି ଶୁଣ ।

 

ଗୀତ ।

ଶୁଣ ଶୁଣ ଗୋ ବରଜଯୁବତି ।

ଯେବେ ଏହି ନାବେ ମୋତେ ଦେବୁ ସୁରତି ।୧।

ତେବେ ସିନା ତୋତେ ପାରି କରିବି ମୁହିଁ ।

ନ ହେଲେ ବୁଡ଼ିମଲୁଟି ଚନ୍ଦ୍ରମା ମୁହଁ ।୨।

 

ମୋହର ଉପାୟ ଆଉ ନାହିଁ ଏଥିକି ।

ଦାନ କରିବୁ ତୁ ଯେବେ ସୁପୀରତିକି ।

କିଛି ବିଘ୍ନ ନ ପଡ଼ିବ ଯମୁନା ଗଣ୍ଡେ ।

ସୁଖ ପାରିହେବୁ ନାବେ ମଙ୍ଗ ମହଣ୍ଡେ ॥

 

ସମ୍ମତ ନ କଲେ ନିଶ୍ଚେ ବୁଡ଼ିବ ନାବ ।

ପାଇବୁଟି ତୁହି ନାହିଁ କରିବା ଭାବ ।୪।

 

ଚନ୍ଦ୍ରାବଳୀ –

(ଭୟରେ ଅଙ୍ଗ ଥରାଇ ସ୍ଵାଗତ) ଓଃ ଛାର ଧୀବର – ହୋଇ ମୋତେ କି ଅବିଚାର କଥା କହିଲା, ଏହା ଶୁଣି ମୋ ବୁକୁ ଦମ ଦମ ହେଉଛି, ପ୍ରଖର ନିଶ୍ଵାସ ବହୁଛି, ଓଷ୍ଠ, କଣ୍ଠ ସୁଖୀ ଯାଉଛି, ସାହସ ଉଡ଼ି ଯାଉଛି, ଏବେ ମୁଁ କଣ କରିବି । ଦଇବରେ ! ମୋ କପାଳରେ କଣ ଏଇ ହଟହଟା ଲେଖିଥିଲୁ ? ଛୋଟ ଜାତି ଧୀବର ମୁଖରୁ ଏ କୁତ୍ସୀତ ବାଣୀ ଶୁଣି ମୋ ଅନ୍ତର ଜଳି ଉଠୁଛି, ଧିକ ଏ ପ୍ରାଣ, ଆଉ ରହିବା ଦରକାର ନାହିଁ, ନିଦାରୁଣ ଧୀବର ମୁଖରୁ ଯାହା ଏ କୁବଚନ ଶୁଣି ଦେହ ଧରି ରହିଚି ମରିଯିବା ଭଲ । (ପ୍ରକାଶ୍ୟେ) ପାପିଷ୍ଠ ପାମର ! କିପରି ଏକଥା ତୁଣ୍ଡରେ ଧଇଲୁ ? ତୁ ମୂଢ଼ ଜ୍ଞାନ ହୀନ, ଛୋଟ ଜାତି ଧୀବର କୂଳରେ ଜନ୍ମ ହୋଇ କିପରି ଏଡ଼େ ସାହସ କଥା କହିଲୁ ? ତୋ ନିର୍ଲଜ ପ୍ରକୃତିକି ଧିକ୍‍, ଛି ଛି ତୋ ଜୀବନକୁ ମଧ୍ୟ ଧିକ୍‍, ଛାର ଶ୍ୱାନ ହୋଇ ଯାଗଅନ୍ନ ଗ୍ରାସ କରିବୁ ବୋଲି ମନେ କରିଛୁ ? ତୋର ଏଡ଼େ ଗର୍ବ, ତୋର ଏଡ଼େ ସାହସ, ପ୍ରଚଣ୍ଡ ଅନଳରେ ପଶିବାକୁ ଇଚ୍ଛା ବଳାଉଛୁ, କାଳ ସର୍ପର ମୁଖରେ ଅଙ୍ଗୁଳି ଭରୁଛୁ, ଶ୍ରୁଗାଳ ହୋଇ ସିଂହର ଘରଣୀ କୁ ଆଶା ବଢ଼ାଉଛୁ ? ଦୁର୍ମତି ! କି ପ୍ରକାରେ ଏହା ତୁଣ୍ଡେ ବସାଇଲୁ ? ତୋ ମୁଣ୍ଡରେ ଯାହା ବଜ୍ର ନ ପଡ଼ିଲା, ତୋ କର ଚରଣ ଯାହା ଛିଡ଼ି ନ ପଡ଼ିଲା, ଏବେ ଜାଣିଲି ତୁ ମରଣ ପଥକୁ ବରଣ କରିଛୁ, ତା’ ନହେଲେ କି ଏପରି କଥା କହନ୍ତୁ ? ମୋର ଅଭାଗ୍ୟ ବଳରୁ ଏ କଥା ଆଜି କର୍ଣ୍ଣରେ ଶୁଣିଲି, ଜାଣୁ ଅଛି ବିଧାତା ବାମ ହେଲାଣି, ମୂର୍ଖ ସାବଧାନ ! ଆଉ ଯଦି ଏପରି କଥା କହିବୁ ତେବେ ନିଶ୍ଚୟ ଏହି ଯମୁନା ଗଣ୍ଡରେ ଡେଇଁ ପ୍ରାଣ ହରାଇ ଦେବି, ରେ ଦୁରାଚାର ! କେଡେ ଅଜ୍ଞାନପଣ ଆଚରିଲୁ, କେଡ଼େ ଅବିବେକ ବୁଦ୍ଧିରେ ବଣା ହୋଇଗଲୁ, ଏ ଦେହ କି ମୋର ବୋଲି ମନେ କରିଛୁ, ନା, ନା, ଏ ଦେହ ମୋର ନୁହେଁ, ଏ ଦେହ ଜୀବନକୁ ମୁଁ ନନ୍ଦନନ୍ଦନଙ୍କୁ ବିକି ଦେଇଛି, ତାଙ୍କ ବିନା ଏ ଦେହରେ କାହାରି ଅଧିକାର ନାହିଁ, ତୁ ଏବେ ଆପଣା ମାନ ରକ୍ଷା କରି ତୁନି ହୋଇ ରହ; ଆଉ ଅବିଚାର କଥା ପ୍ରକାଶ କରନା, ତୁ ଯେବେ ପୁନଶ୍ଚ କୁବଚନ କହିବୁ ତେବେ ନିଶ୍ଚୟ ଏ ପ୍ରାଣ ହରାଇ ଦେବୀ । ଏଥିକି ସାବଧାନ ! ସାବଧାନ ! ସାବଧାନ ! (କ୍ରୋଧ ବଦନେ ରହିଲେ)

 

 

ମାୟାଧୀବର –

(ହସି ହସି) ଚନ୍ଦ୍ରମୁଖୀ କାତର ହୁଅନା, ବିଶ୍ଵାସ କର, ସେହି ନନ୍ଦନନ୍ଦନ ମୁଁ, କିଛି ସଂଶୟ କରନା, ତୋ ରୂପ ମାଧୁରୀ ଦର୍ଶନ ଆଉ ତୋ ଲାବଣ୍ୟ ଅଙ୍ଗ ମିଳନ ନିମନ୍ତେ ଏହି କପଟ ନାବିକ ବେଶ ଧାରଣ କରିଥିଲି, ଆଉ ମଧ୍ୟ ତୋ ତିଳପୁଷ୍ପ ବିନିନ୍ଦିତ ନାଶିକା ଫୁଲା କୋପଭାଷା ଶୁଣିବା ପାଇଁ ଏ ରଙ୍ଗ ଭିଆଇଥିଲି, ତୁ ଯେଉଁ କୃଷ୍ଣ ପ୍ରେମରେ ପାଗଳିନୀ ମୁଁ ସେହି ।

 

 

ଚନ୍ଦ୍ରାବଳୀ –

ତୁମ୍ଭେ ଯେବେ ମୋର ଜୀବନ ସର୍ବସ୍ଵ କୃଷ୍ଣଚନ୍ଦ୍ର, ତେବେ ସମ୍ପୂର୍ଣ୍ଣ ପ୍ରକାଶ ନ ହୋଇ କପଟ ଘନ ଛାୟା କାହିଁକି ଢାଙ୍କି ଅଛ, ଏ ଦାସୀକି ନିଜ ରୂପ ଦର୍ଶନ ଦିଅ, ମୋର ଶ୍ରୀଚରଣ ତଳେ ଏହା ପ୍ରାର୍ଥନା । (କର ଯୋଡ଼ି ରହିଲେ)

 

 

ମାୟାଧୀବର –

(ମନ୍ଦେ ମନ୍ଦେ ହସି) ସୁନ୍ଦର ! ଏବେ ମୋ ନିଜ ରୂପ ଦେଖ, (ଦେଖୁ ଦେଖୁ ତ୍ରୀଭଙ୍ଗ ଶ୍ୟାମଳସୁନ୍ଦର ମୂର୍ତ୍ତୀ ହେଲେ)

 

 

ଚନ୍ଦ୍ରାବଳୀ –

(ପ୍ରେମ ଗଦ ଗଦ ସ୍ଵରେ) ଆହା ! ପ୍ରାଣପ୍ରଭୁ ହେ ! ଏ ତ୍ରିଭୁବନମୋହନ ଛବି କାହିଁ ଲୁଚାଇ ରଖିଥିଲ ? ଏ ତ୍ରୀଭଙ୍ଗୀମା ନବନଟବରଠାଣି କେଉଁଠାରେ ଥୋଇଥିଲ ? ନୀଳମୂରତି ! ଏ ଦାସୀର ଜନ୍ମ ସାର୍ଥକ ହେଲା, ଧନ୍ୟ ମୋର ପୂର୍ବ ପୂଣ୍ୟ ଫଳ, ଧନ୍ୟ ମୋର ପୂର୍ବ ତପସ୍ୟାର ବଳ, ଧନ୍ୟ ମୋର ଆଜି ଦିନ, ଧନ୍ୟ ମୋର ଏ ନେତ୍ରବେନି, ଲାବଣ୍ୟ ଠାଣି ! ଆଜି ମୁଁ ଧନ୍ୟ ହେଲି ।

 

(ଆଲିଙ୍ଗନ କରିବାର)

 

 

ଶ୍ରୀକୃଷ୍ଣ –

ପ୍ରାଣେଶ୍ଵରି ! ତୁମ୍ଭର ଏ ଅଳଙ୍କାର ଗୁଡ଼ିକ–ତୁମ୍ଭ ଶ୍ରୀଅଙ୍ଗ ଯଥାସ୍ଥାନରେ ଖଞ୍ଜିଦେବାକୁ ସମ୍ମତ ପ୍ରଦାନ କର, ମୁଁ ଅଳଙ୍କାର ଗୁଡ଼ିକ ପିନ୍ଧାଇ ଦିଏ, ନାବ ଧୀରେ ଧୀରେ ଚଲୁଥାଉ ଆସ ଅଳଙ୍କାର ପିନ୍ଧ, (କର ଧାରଣ କରିବା ଅଭିନୟ)

 

 

ଚନ୍ଦ୍ରାବଳୀ –

ପ୍ରାଣେଶ୍ୱର ! ଆପଣଙ୍କର ଯେ ଇଚ୍ଛା (ଲଜ୍ଜାରେ ଅବନତ ମୁଖେ ରହିଲେ)

 

 

ଶ୍ରୀକୃଷ୍ଣ –

(ହର୍ଷଭାବେ) (ଅଳଙ୍କାର ଯାକ ଚନ୍ଦ୍ରାବଳୀଙ୍କ ଅଙ୍ଗରେ ଖଞ୍ଜିଦେଇ କହିଲେ) ଭାବମୟ ! ଏବେ ନାବରୁ ଉତୁରି ଏହି ନଦୀ କୂଳରେ ବସ, ଦେଖ, ଏ ବାଲିକୁଦ କେଡ଼େ ମନୋହର ହୋଇଅଛି, ତୁମ୍ଭେ ଦଣ୍ଡେ ମାତ୍ର ଏହିଠାରେ ବସିଥାଅ, ମୁଁ ଯାଉଛି ତୁମ୍ଭର ସାଙ୍ଗ ସଖୀମାନଙ୍କୁ ନାବରେ ବସାଇ ଏଠାକୁ ଆଣିବ, ଏହିକ୍ଷଣି ସେମାନଙ୍କ ସଙ୍ଗେ ତୁମ୍ଭଙ୍କୁ ଭେଟ କରାଇଦେବି, କିଛି ଚିନ୍ତା କର ନା, ନିଶ୍ଚିନ୍ତ ମନେ ବସିଥାଅ ।

 

 

ଚନ୍ଦ୍ରାବଳୀ –

ନୀଳମଣି ! ତେବେ ଯାଅ, ମୋ ପ୍ରିୟ ସଖୀମାନଙ୍କୁ ଚଞ୍ଚଳ ମୋ ନିକଟରେ ଆଣି ଦିଅ । ଚିନ୍ତାମଣି ଚିତ୍ତଚୋର ! ନ ପୁଣି ଆଉ କେଭେ ଭଙ୍ଗି କରିବ ନାହିଁତ ? କେଜାଣେ, ତୁମ୍ଭଙ୍କ ବିଶ୍ଵାସ କଣ ?

 

 

ଶ୍ରୀକୃଷ୍ଣ –

(ହସିକରି) ନା ସଖି ! ତୁମ୍ଭ ସହିତ ଯାହା କି ଭାବ ଆଳାପ ହେବାର ହୋଇଯାଇଛି, ଆଉ କପଟ କରିବି ନାହିଁ, ମାତ୍ର ପୂର୍ବ ନାବିକ ବେଶରେ ସେମାନଙ୍କ ନିକଟକୁ ଯିବି, (ନାବ ବାହି ବାହି ପ୍ରସ୍ଥାନ)

 

 

ଚନ୍ଦ୍ରାବଳୀ –

ହାୟ ! ସତେ ପ୍ରିୟ ସଖୀମାନଙ୍କ ସହିତ ମୋର ଭେଟ ହେବ, ସତେ ନିରାପଦରେ ସେମାନେ ନଦୀ ପାରି ହେବେ, ବଂଶୀପାଣି ! ସବୁ ତୁମ୍ଭ ଇଚ୍ଛା ସିନା, ନହିଲେ କାହାର କି ଗତି ଅଛି ? (ଗଣ୍ଡସ୍ଥଳରେ ବାମକରକୁ ମଣ୍ଡନ କରି ବସିଲେ)

[ ପଟ୍ଟପତ୍ତନ ]

 

ଷଷ୍ଠ ଦୃଶ୍ୟ

(ଯମୁନାନଦୀର ଅପରପାର୍ଶ୍ଵ କଦମ୍ବ ମୂଳ)

(ଗୋପୀମାନେ ଦଧି ପସରାମାନ ତଳେ ଥୋଇ ଭାଲି ହେବାର)

ଶାରଦା –

ହଇ କି ଗୋ ଚଞ୍ଚଳା ! ନାବିକବୁଢ଼ାତ ଚନ୍ଦ୍ରାବଳୀକି ପାରି କରିବ ବୋଲି କେତେବେଳୁ ଗଲା, ଏପର୍ଯ୍ୟନ୍ତ କାହିଁକି ଆସିଲା ନାହିଁ ମ ? ଆଉ କଅଣ ନାବ ସହିତେ ଜଳରେ ବୁଡ଼ିଗଲେ ?

 

 

 

 

ଚଞ୍ଚଳା –

କିଛି ତ ଜଣାଯାଉ ନାହିଁ, କଣ ହେଲା କିଏ ଜାଣେ ?

 

 

 

 

ବିମଳା –

ଆଗୋ ଭଉଣୀ ! ଧୀବର ବୁଢ଼ା ତ ଆଗରୁ କହୁଥିଲା ତା, ନାବ ଖଣ୍ଡିକ ଦଦରା ବୋଲି, କେଜାଣେ, ପାଣି ପଶି ନାଆ ଡୁବି ଯାଇଥିବ ?

 

 

 

 

ପରିମାଳା –

ଆଗୋ ତା, କହନାଇଁ, କହନାଇଁ, ଆମ ଚନ୍ଦ୍ରାବଳୀ ସଖୀ ସର୍ବେ ଶୁଭରେ ଥାଉ । ପ୍ରଭୁ କରନ୍ତୁ ତାର ଅମଙ୍ଗଳ ନ ଘଟୁ, ଭଗବାନଙ୍କୁ ଡାକି ଜଣାଅ ଆମେମାନେ ଯେପରି କୁଶଳରେ ତାକୁ ଭେଟିବା ।

 

 

 

 

ସୁଶୀଳା –

ହଇ ଗୋ ! କଅଣ ହେଲା ବୋଲି କିଏ କେମିତି ଜାଣିବ କହିଲ ଭଲା ? କୁହୁଡ଼ି ତ ଏ ପର୍ଯ୍ୟନ୍ତ ଛାଡ଼ିଲା ନାହିଁ, ମୁହଁକୁ ମୁହଁ ଅଦୃଶ୍ୟ ହେଉଛି, ନାବିକ ଚନ୍ଦ୍ରାବଳୀକି ପାରିକଲା କି ନକଲା କିଏ କିପରି ଜାଣିବ ? ଆଉ କିଛି ସମୟ ଅପେକ୍ଷା କର ସବୁ ଜଣାପଡ଼ିବ ଯେ ।

 

 

 

 

ଶାରଦା –

ଆଗୋ ସୁଶୀଳେ ! ସତେ ସହଜେ ବୁଢ଼ା ନାବିକ, ଦିଗ ବାରି ନ ପାରି ବଣାହୋଇ ଯାଇଥିବ ନ ହେଲେ ଏତେ ବିଳମ୍ବ କାହିଁକି ହୁଅନ୍ତା ?

 

 

 

 

ମାୟାନାବିକ –

(ଗୀତ ଗାଇ ଗାଇ ନେପଥ୍ୟରୁ ଧୀରେ ଧୀରେ ନାବ ଚଳାଇ ଆସିବାର)

 

ଗୀତ ।

(ଢମାଳିଆ ସ୍ଵର)

ଜାତି ମୋର ମୀନମରା ଲୋ । ଜାତି ମୋର ମୀନମରା ।

ନୀତି ନଦୀ ଜଳେ ଜାଲପାତଇଁ (ହୋଇକି ଗୋ ଝୁମୁରିବଉ)

ମୁଁ ନ ମାନଇ ଖରାତରା ।୧।

 

ନାବଟି ମର ଦଦରା ଲୋ । ନାବ ଟି ମର ଦଦରା,

ଜଣ ଜଣ କରି କରଇ ପାରି (ହୋଇକି ଗୋ ଝୁମୁରି ବଉ)

ହୋଇଥିଲେ ନଦୀଭରା ।୨।

ଉଁ, ଖୁଁ, ଉଁ, ଖୁଁ, ଉଁ, ଖୁଁ, ଖୁଁ, ଖୁଁ, ଖୁଁ, ଖୁଁ, (ଏହିପରି କାସି ଲାଗିବାର)

 

ସାରଦା –

ଆଗୋ ଭଉଣୀମାନେ ! ଏହି ଦେଖ, ସେଇ ନାବିକ ବୁଢ଼ାଟି ଧୀରେ ଧୀରେ ନାବ ବାହି ଆସୁଛି ।

 

 

ଚଞ୍ଚଳା –

ଆଗୋ କୂଳରେ ଲାଗିବାକୁ ଆଉ ଦୁଇ କି ତୀନିହାତ ଅଛି ମ ? ରହ, ରହ, କେହି ତର ତର ହୁଅନାହିଁ, ନାବ ସମ୍ପୁର୍ଣ୍ଣରୂପେ କୂଳରେ ଲାଗୁଛି, ଜଣଜଣ ହୋଇ ସମସ୍ତେ ପାରିହେବୁ ।

 

 

ନାବିକ –

(ଧୀରେ ଧୀରେ ନାବ କୂଳକୁ ଆଣିବା ସମୟେ ଛାତିକି ଆଉଁସି କାସି କାସି ନାବ ଉପରୁ ଜଳରେ ଲେଉଟିପଡ଼ିବା ଅଭିନୟ)

 

 

ସାରଦା ପ୍ରଭୃତି –

ଆଗୋ କି ହେଲା ଗୋ ! କି ହେଲା ଗୋ !

 

(ସମସ୍ତେ ଧାଇଁ ଧାଇଁ ଯାଇ ନାବକୁ ଓଟାରି ଧରିବା ଅଭିନୟ)

 

 

ବିମଳା –

ଆହା ! ନାବିକବୁଢ଼ାଟି ପାଣିରେ ଡୁବି କେଉଁ ଆଡେ ଭାସିଗଲା ? ସଖି ! କଣ କରିବା କହିଲ ଭଲା, ତେଣୁ ଚନ୍ଦ୍ରାବଳୀ ନଦୀ ପାରି ହୋଇ ଆର କୂଳେ ଦୁଃଖ ମନେ ବସିଥିବ, ଏବେ ତ ବୁଢ଼ା କେଉଟଟି ଭାସିଗଲା, ପ୍ରିୟାସଖୀ ଚନ୍ଦ୍ରାବଳୀ ସଙ୍ଗେ କି ପ୍ରକାରେ ଭେଟ ହେବା ଗୋ !

 

 

ସୁଶୀଳା –

ବଡ଼ ବୀଷମ ଶଙ୍କଟ ପଡ଼ିଲା ଗୋ ବିମଳେ, କିଉପାୟ କରିବାଟି ।

 

 

ନେପଥ୍ୟରୁ –

(ଶ୍ରୀକୃଷ୍ଣ କୋଟି ମଦନମୋହନ ମୂର୍ତ୍ତି ଧାରଣ ପୂର୍ବକ ମନ୍ଦେ ମନ୍ଦେ ହସି ହସି ଗୋପିମାନଙ୍କ ନିକଟରେ ପ୍ରବେଶ ହେବା)

 

 

ସାରଦା –

ଆଗୋ ସହି ! ଦେଖିଲଣୀ, କଳାକାହ୍ନୁ କିପରି ଝୁଲୁ ଝୁଲି ଏଇଠି ପହଞ୍ଚି ଗଲେଣି !

 

 

ଶ୍ରୀକୃଷ୍ଣ –

ହୋଇଗୋ, ତରୁଣୀମାନେ ଏଠାରେ ବସି କଣ ଭାଳୁଛ ? ସହଜେ ତ ଯମୁନା ନଈ ବଢ଼ିଛି, ତମେମାନେ କେମିତି ପାରି ହୋଇ ମଥୁରା ହାଟକୁ ଯିବ ?

 

 

ଚଞ୍ଚଳା –

ନୀଳମଣୀ ! ଦଇବ ଏ ମହାବିପତ୍ତିରେ ପକାଇଦେଇଛି, ଯମୁନା ନଈ ବଢ଼ିଛି ବୋଲି ଆମମାନଙ୍କୁ ଜଣା ନ ଥିଲା, ଦହି ଦୁଧ ବିକି ଯିବା ପାଇଁ ମଥୁରା ହାଟକୁ ବାହାରି ପଡ଼ିଲୁ । ଏହି ଯମୁନା କୂଳରେ ଦେଖିଲୁ ଗୋଟିଏ ବୁଢ଼ା ନାବିକ ନାବ ଘେନି ଧୀରେ ଧୀରେ ଆସିଲା, ତାକୁ ଆମେ କହିଲୁ ବୁଢ଼ା ମଉସା ହୋ ! ଆମମାନଙ୍କୁ ପାରି କରିଦିଅ, ମଥୁରାହାଟକୁ ଯିବୁଁ, ତହୁଁ ବୁଢ଼ା ଖଣ୍ଡିକ କହିଲା ମୋର ନାବ ଖଣ୍ଡିକ ଦଦରା, ଜଣକରୁ ବେଶି ହେଲେ ନାବଟି ବୁଡ଼ିଯିବ । ତା’ ଶୁଣି ଚନ୍ଦ୍ରାବଳୀ ଆଗ ନାବରେ ବସି ପାରହେବାକୁ କହନ୍ତେ ତାକୁ ଧୀବର ବୁଢ଼ା ନାବରେ ବସାଇ ଆର ପାରିରେ ଛାଡ଼ିଆସିଲା ବେଳକୁ ଏହି ତଟ ନିକଟରେ ତା’ ଗୋଡ଼ ଖସିଯିବାରୁ ଜଳରେ ପଡ଼ି ଭାସିଗଲା । ସେତିକି ବେଳୁ ସମସ୍ତେ ଏଠାରେ ବସି ଭାଲି ହେଉଛୁଁ । କଳାକାହ୍ନୁ ! ଆମେମାନେ ଏବେ କି ଉପାୟ କରିବୁଁ କହିଲ ହେଲେ ?

 

 

ଶ୍ରୀକୃଷ୍ଣ –

(ତାଳିମାରି ହସି ହସି) ଚନ୍ଦ୍ରାବଳୀ ଏକା ବଡ଼ ହଟହଟା ହେଲା, ତମମାନଙ୍କର ଭାଗ୍ୟ ଭଲ, ନହେଲେ ଯେ କି ହଟହଟା ହୋଇଥାନ୍ତ ତାହା କହିପାରୁ ନାହିଁ ।

 

 

ବିମଳା –

(ଚଳିହୋଇ) ମୋହନ ! ତୁମ୍ଭର ସବୁଦିନେ ଏହି ଭଙ୍ଗୀ ଟାପରା ଗଲା ନାହିଁ, ସମୟ ନାଇଁ, ଅସମୟ ନାଇଁ, ସଦା ସର୍ବଦା ପରିହାସ କରିବାରେ ଲାଗିଥାଅ, ବନମାଳୀ ! ତୁମ୍ଭର ଏ କି, ଆଚରଣ କହିଲ ଭଲା ?

 

 

ଶ୍ରୀକୃଷ୍ଣ –

ହଇ ଗୋ ! ମୋର ଏଥିପାଇଁ ଦୋଷ କଅଣ ହେଲାଯେ; ଏପରି କହୁଛ, ବୃଥାଟାରେ ମୋ ଉପରେ ଏଡ଼େ ବଡ଼ ରୋଷ କରିବା କଣ ଉଚିତ ହେଉଛି ? ବୁଢ଼ା କେଉଟଟା ବୋଲ ରେ ତ ବାଇ ହୋଇପଡ଼ିଲ, ଏବେ ଭାଳି ହେଲେ କଣ ହେବ ? ତୁମ୍ଭେମାନେ ଯେବେ ମତେ କିଛି ଲାଞ୍ଚ ଦେବ, ତା’ ହେଲେ ମୁଁ ନଈ ପାରି କରିଦେବି, ସମସ୍ତେ ମଥୁରାହାଟକୁ ନିଶ୍ଚିନ୍ତ ହୋଇ ଚାଲିଯିବ ।

 

 

ଚଞ୍ଚଳା –

ନୀଳମଣୀ ! ଦହି ଦୁଧ ଛଡ଼ା ତ ଆମ ପାଖରେ ଆଉ କିଛି ନାହିଁ, ଯଦି ଇଚ୍ଛା ଅଛି ଆସ ପାନ କର, ତୁମ୍ଭ ଆଶା ଆମ୍ଭେମାନେ କାହିଁକି ଭାଙ୍ଗିବୁ ? ଆସ ଦହି ଦୁଧ ଯାହା ଇଚ୍ଛା ତାହା ପାନ କର ।

 

 

ଶ୍ରୀକୃଷ୍ଣ –

ନା ନା ତୁମ୍ଭମାନଙ୍କ ପାଖରେ ଯାହା ଅଛି ସେଗୁଡାକ ଆମ୍ବିଳ ଦହି, ମୁଁ ତା’ ଖାଇବି ନାହିଁ, ସେତିକି ମୋର ମନ ବୋଳୁ ନାହିଁ କେବଳ ଦୁଧ ପାନ କରିବାକୁ ବଡ଼ ଆଶା କରିଥିଲି, ମନରେ ମୋର ସଂଶୟ ହେବାରୁ ଆଉ ଚିତ୍ତ ବଳୁ ନାହିଁ ।

 

 

ସାରଦା –

ବନମାଳୀ ! ଏଥିପାଇଁ ସଂଶୟ ପୁଣି କଣ ?

 

 

ଶ୍ରୀକୃଷ୍ଣ –

ସେ ଦୁଧରେ ଯଦି କେତେକ ପାଣି ମିଶିଥିବ, ଆଉ କଣ ତାହା ସୁଆଦ ହେବ-?

 

 

ଚଞ୍ଚଳା –

ଗୋପ ସଙ୍ଖାଳି ହେ ! ଏକଥା ଶୁଣି ଆମକୁ ଲାଜ ମାଡ଼ୁଛି ! ଏ ଦୁଧରେ ଯେବେ ଅନ୍ୟ ପାଣି ମିଶି ଥାନ୍ତା ଗୋରସ ନଷ୍ଟ ହୋଇ ଛିଣ୍ଡିଯାଆନ୍ତାଣୀ । ମିଛ କଥାରୁ ବଳି ତ ଯାତକ ନାହିଁ, ତୁମ୍ଭ ଆଗରେ କାହିଁକି ଲୁଚାଇବୁଁ ? କାଳିନ୍ଦୀ ନଦୀର ପାଣି କିଛି ମିଶିଛି ମାତ୍ର । ସେ ନୀର ଯେଉଁ କ୍ଷୀରରେ ମିଶିନାହିଁ, ସେ ତ ଅପ୍ରତିଷ୍ଠା, ସ୍ଵାଦ କାହୁଁହେବ ?

 

 

ଶ୍ରୀକୃଷ୍ଣ –

(ଭାବ ଗଦଗଦ ସହିତ) ତେବେ ସମସ୍ତେ ନାବରେ ବସ, ଥରେ ହେଲେ ପାରିକରି ଦିଏଁ, କେତେବେଳେ ତ ହେଲେ ମନେପକାଇବ । ଆସ ନାବରେ ବସ ।

 

(ଏହା କହି ନାବ ମଙ୍ଗରେ ଠିଆ ହେବା ଅଭିନୟ)

 

 

ଗୋପୀଗଣ –

(ଜଣ ଜଣ ହୋଇ ସମସ୍ତେ ଏକାବେଳକେ ନାବରେ ବସିବା ଅଭିନୟ)

 

 

ଶ୍ରୀକୃଷ୍ଣ –

(ହସି ହସି) ମୁଁ ଏବେ ନାବ ଚଳାଇଲିଟି ?

 

 

ସାରଦା –

ନଟବର ! ବେଗେ ପାରି କରିଦିଅ ।

 

 

ଶ୍ରୀକୃଷ୍ଣ –

(ଧୀରେ ଧୀରେ କାତ ମାରି ନାବ ଚଳାଇବାର)

 

 

ଚଞ୍ଚଳା –

କଳାକାହ୍ନୁ ! ନାବକୁତ ଆଣି ଯମୁନାର ମଝିଗଣ୍ଡରେ କଲଶି ଆଉ ଚାଲୁନାହିଁ କାହିଁକି ? କଅଣ ବିଚାରିଛ ଆମମାନଙ୍କୁ ଏଇ ଗଣ୍ଡରେ ବୁଡ଼ାଇ ମାରିବ ବୋଲି ?

 

 

ଶ୍ରୀକୃଷ୍ଣ –

ଗୋପୀଗଣ ! ମୋତେ ବୃଥାରେ ନିନ୍ଦା କରନାହିଁ । ନାବ ଯେଉଁ ନିମନ୍ତେ ଅଚଳ ହେଉଛି ତା, କହୁଛି ଶୁଣ ।

 

ଗୀତ ।

ମତେ ବୃଥା ଗାଳି କିମ୍ପାଦିଅ ବାଳି ମନରେ ହୋଇ କୁପିତ ଗୋ ।

ଶୁଣ ମୋ ଭକତ କହୁଅଛି ସତ ନମଣ ଏହା ଇଙ୍ଗିତ ଗୋ !

ନୀଳଚେଳ ଅଛ ପିନ୍ଧି । ଊବ ଉପରେ କାଞ୍ଚଲା ବାନ୍ଧି ଗୋ ॥

ଦିଶୁଛି ଦୂରକୁ କିବା ମନ୍ଦରକୁ ଜୀମୂତ ରହିଛି ଢାମ୍ପି ଗୋ ।

 

ଏହି ସମାଚାର ଦେଖିବାର ମୋର ହୃଦୟ ଯାଉଛି କମ୍ପି ଗୋ ॥

ନବଘନ ଦେଖେ ଯହିଁ । ଆସି ପ୍ରଭଞ୍ଜନ ମିଳେ ତହିଁ ଗୋ

ସେ ନ ଜାଣୁ ଏବେ ତୁମ୍ଭେମାନେ ବେଗେ ଉରବାସ ଦୂରକର ଗୋ ।

କହିଲିଟି ସତ ଶୁଣ ପ୍ରାଣମିତ ସେ ଅଇଲେ ହରବର ଗୋ ।

ବାରି ଲହରୀ ଉଠିବ । ନାବ ପଶିଲେ ତ ବୁଡ଼ିଯିବ ଗୋ ॥

 

ଗୋପୀଗଣ –

 

ଆହେ ନନ୍ଦଚାଟ କିପରି ଲମ୍ପଟ ବରଜ ଗଗନଶଶି ହେ,

କିମ୍ପା ଏତେ କୁଟ ନାଗାର ମୁକୁଟ ଆମ୍ଭ ଆଗରେ କର ଆସି ହେ ।

ଯାହା କଲ ଅବଧାନ । ଦୂରକରିବା ପାଇଁ ବସନ ହେ ॥

ଏ କ୍ଷଣି ଆମ୍ଭର ଉରରୁ ଅମ୍ବର ଦେଉଛୁଁ ବାହାର କରି ହେ ।

 

ଏତେକେ ସକଳ ସଂଶୟ ତୁଟିଲା ତୁମ୍ଭେକି କରିବ ହରି ହେ ।

ନୀଳ ନବଘନ ଦେହ । ତାହା କାହିଁ ଲୁଚାଇବ କହ ହେ ॥

 

ପରିମଳା –

(ପରିହାସରେ) ଆଗୋ ସହି ! ଆସ ଏବେ ଆମ୍ଭମାନଙ୍କର ଯେତେ ଦହି ଦୁଧ ଅଛି ଏ ନବଘନ କାଳିଆ ଅଙ୍ଗରେ ଢାଳିବା ଆସ, ଏଥିପାଇଁ ଭାଳି ହେଉଛ କାହିଁକି ? ଯେପରି ନୀଳତନୁଟି ଧଳା ହୋଇଯିବ ତା’ର ବିଚାର କର ।

 

 

ଶ୍ରୀକୃଷ୍ଣ –

ଗୋ ରସ ପ୍ରବୀଣା ! ଏହି କୃପା ମୋ ଠାରେ ସବୁଦିନକୁ ରଖିଥାଅ, ନିମିଷେ ହେଲେ ସ୍ନେହ ଊଣା କରିବା ନାହିଁଟି, ମୁଁ ଏଥର ତୁମ୍ଭମାନଙ୍କ ପ୍ରେମ ଭଙ୍ଗୀ ଭାଷାକୁ ହାରିଣ ଏବାର ଯୁହାର କରୁଛି, ମୋତେ ସବୁବେଳେ ତୁମ୍ଭ ପ୍ରେମ ନେତ୍ରରେ ଅବଲୋକନ କରୁଥିବଟି ?

 

 

ସାରଦା –

(ସମସ୍ତଙ୍କ ପ୍ରତି) ଆଗୋ ! ଏତ ନିଜେ ନିଜେ ହାରିଗଲେଣି, ଆଉ ପରିହାସରେ କି ଲାଭ ଅଛି, ଆସ ହୁଳହୁଳି ଦେଇ ଏ ନବନିରଦ ତନୁରେ ସମସ୍ତେ ଜଡ଼ିରହିବା । ଆସ ଗୋ ସମସ୍ତେ ଶ୍ୟାମସୁନ୍ଦରଙ୍କୁ ବେଢ଼ିଯାଅ ।

 

 

ସମସ୍ତେ –

(ଚାରିଆଡ଼ୁ ଶ୍ରୀକୃଷ୍ଣଙ୍କୁ ବେଢ଼ିଯିବା ଅଭିନୟ)

ଶ୍ରୀକୃଷ୍ଣ –

ପ୍ରେୟସୀଗଣ ! ଆଜି ତୁମ୍ଭମାନଙ୍କ ଅକୃତ୍ରିମ ପ୍ରେମ ମାଧୁରୀରେ ମୁଁ ମୂଗ୍ଧ ହେଲି, ମୋର ବହୁଦିନର ଆଶା ପୂର୍ଣ୍ଣ ହେଲା ।

ଗୋପୀଗଣ –

ମୋହନ ! ଆମମାନଙ୍କ ଅପରାଧ କ୍ଷମା କର, ପରିହାସ ଛଳେ ବହୁତ ଗାଳିଦେଇ ଅଛୁଁ ତାହା ମନରେ ଧର ନାହିଁ, ଆଉ ଏ ଦିନହୀନମାନଙ୍କ ପ୍ରତି ଏହି କୃପା କର କି ଯେପରି ତୁମ୍ଭ ପଦରଜ କର୍ପୁରକୁ ସର୍ବଦା ଉରଜ ଯୁଗଳରେ ବୋଲୁଥିବୁ, ପୁଣି ଯେଣିକି ଚାହୁଁଥିବୁଁ ତେଣେ ତୁମ୍ଭ ଶ୍ୟାମଳ ଶ୍ରୀଅଙ୍ଗଟିକୁ ଦର୍ଶନ କରୁଥିବୁ, ଆମମାନଙ୍କର ଏହି ମାଗୁଣି ।

ଗୀତ ।

ଆହେ ନବଘନ ସୁନ୍ଦର ମୋହନ ଏତିକି ଆମ୍ଭ ବିନତି ହେ ।

ନ କରିବ ପର ନୂଆ ନଟବର କାମ ମୋହନ ମୂରତି ହେ ।

ଆମ୍ଭେ ତୁମ୍ଭ ଦାସୀ ସିନା । ଆମ୍ଭ ଧାନ ତୁମ୍ଭ ନନ୍ଦକାହ୍ନା ହେ ।୧।

ତୁମ୍ଭ ପଦରଜ କର୍ପୁର ଉରଜ ଯୁଗେ ବୋଲୁଥିବୁଁ ନିତି ହେ ।

ଯେଣେ ଚାହିଁଦେଲେ ତେଣେ ଦେଖିଥିବୁଁ ନବୀନ ଘନ ମୂରତି ହେ ।

ନାସା ଶ୍ରୀଅଙ୍ଗ ଆମାଦେ । କର୍ଣ୍ଣ ରସିଥିବ ବଂଶୀନାଦେ ହେ ॥

(ଗୋପୀଗଣ ଗୀତ ଗାଉଥିବା ଓ ଶ୍ରୀକୃଷ୍ଣ ଧୀରେ ଧୀରେ ନାବ ବାହି ପ୍ରସ୍ଥାନ)

ପଟ୍ଟ ପରିବର୍ତ୍ତନ ।

 

ସପ୍ତମ ଦୃଶ୍ୟ

(ଯମୁନାନଦୀର ଅପରପାର୍ଶ୍ଵ)

(ଚନ୍ଦ୍ରାବଳୀ ଗଣ୍ଡରେ କର ଦେଇ ଭାବନା କରୁଥିବା)

 

ଚନ୍ଦ୍ରାବଳୀ –

(ସ୍ଵାଗତ) ଆହା ! ଏ ପର୍ଯ୍ୟନ୍ତେ କାହିଁକି ମାୟାମୟ ନନ୍ଦନନ୍ଦନ ଉଚ୍ଛୁର କଲେ ? ମାୟା ନାବିକ ବେଶରେ ମତେ ପାରିକରିବା ଛଳେ ତ ଅପୂର୍ବ ପ୍ରେମଲୀଳା ଲଗାଇ ପୁଣି ନାବିକ ବେଶ ଧାରଣ କରି ମୋ ସଖିମାନଙ୍କୁ ଆଣିବାକୁ ଯାଇଛନ୍ତି, ଜୀବନ ବଲ୍ଲଭ ଏତେ ବିଳମ୍ବ କରୁଛନ୍ତି କିହେତୁ ମୁଁ ତ କିଛି ଜାଣିପାରୁ ନାହିଁ ? ଦୟାମୟ ହେ !

 

(ଭାବାବେଶରେ ରହିଲେ)

 

 

ନେପଥ୍ୟରୁ –

(ଗୋପୀମାନେ ବସିଥିବା ନାବ ସହିତ ଶ୍ରୀକୃଷ୍ଣ ଧୀରେ ଧୀରେ ନାବ ବାହି ବାହି ପ୍ରବେଶ)

 

 

ସାରଦା –

(ସଖିଙ୍କ ପ୍ରତି) ଆଗୋ ସହି ! ଦେଖିଲଣୀ ଗୋ ! ପ୍ରିୟସଖୀ ଚନ୍ଦ୍ରାବଳୀ କିପରୀ ଚିନ୍ତାମଗ୍ନା ହୋଇ ବସିଛନ୍ତି ?

 

 

ଚନ୍ଦ୍ରାବଳୀ –

(ଚାହିଁ ଦେଇ ଆନନ୍ଦ ସହିତ) କିଗୋ ସଖିଏ ! ତୁମ୍ଭେମାନେ ଏ ନୂଆ ନାବିକଙ୍କୁ କାହୁଁ ପାଇଲମ ? ୟାଙ୍କରି ସଙ୍ଗ, ରଙ୍ଗ ଯୋଗୁଁ ଏତେ ଉଚ୍ଛୁର କଲପରା ।

 

 

ଚଞ୍ଚଳା –

(ପରିହାସରେ) ଆଗୋ ଚନ୍ଦ୍ରାବଳି ! ଆମେମାନେ କିଛି ନ କହୁଁଣୁ ନିଜେ ନିଜେ କେତେ ଖୋଳେଇ ହଉଛ ଗୋ; ଆମମାନଙ୍କର ସିନା ଏ ନୂଆ, କିନ୍ତୁ ତୁମ୍ଭରତ ନୂଆ ନୁହନ୍ତି ? ଭୁଲି ଯାଉଛ କିଆଁମ, ଭଲକରି ଚିହ୍ନ ।

 

 

ଚନ୍ଦ୍ରାବଳୀ –

ଆଗୋ ମୁଁ ଚିହ୍ନିଛି ସେ ଜଣେ ଚିହ୍ନା ଖଣ୍ଟ, ଯାହା ହେଉ ଆଜି ଆମମାନଙ୍କର ବଡ଼ ଭାଗ୍ୟ, ତେଣୁ ନନ୍ଦନନ୍ଦନଙ୍କ ପ୍ରେମରେ ଆଜି ବୁଡ଼ି ରହିଛେଁ ।

 

 

ଶ୍ରୀକୃଷ୍ଣ –

ସୁନ୍ଦରି ! ତୁମ୍ଭେ ମଧ୍ୟ ଆସ, ଏହି ନାବରେ ସଖିମାନଙ୍କ ମଝିରେ ବସ, ମୁଁ ନାବ ଭଉଁରୀ ଖେଳାଇ ଆନନ୍ଦ ବଢ଼ାଏଁ ।

 

 

ଚନ୍ଦ୍ରାବଳୀ –

(ନାବରେ ବସିବା ଅଭିନୟ)

 

 

ସାରଦା –

ସଖୀଗଣ ! ଏ ନନ୍ଦସୁତଙ୍କର ଜୟ ଦେଇ ଗୋଟିଏ ଗୀତ ଗାଇବା ।

 

 

ସଖିଗଣ –

(ଆନନ୍ଦରେ) ହୁଳ ହୁଳି ସହିତ ସଙ୍ଗୀତ ଗାଇବାର ।

 

ଗୀତ ।

ଜୟ ନବୀନ ଘାଟିଆ ! ଜୟ ଜୟ ଯମୁନା ତଟିଆ ହେ । ଘୋଷା ।

ଜୟ ଜୟ ଶ୍ୟାମସୁନ୍ଦର ମୋହନ ବ୍ରଜବଧୂ ଲମ୍ପଟିଆ ।

ନବ ନଟବର ଯଶୋଦା କୁମର କାଳିଆ ନଟକୁଟିଆ ହେ ।୧।

 

ଜୟଜୟ ରସରାଜ ପ୍ରେମମୟ ମୂରତି ପୀତପଟିଆ ହେ ।

ଏ ଗୋପଯୁବତୀ ନୟନ ସମ୍ପତ୍ତି ଚାରୁ ଚନ୍ଦନ ପାଟିଆ ହେ ।୨।

(ସମସ୍ତେ ସମସ୍ଵରେ ଗୀତ ଗାଇ ଗାଇ ପାରିହେବା ସମୟେ ପଟ୍ଟପତ୍ତନ ।)

(ଯବନିକା)

ସମ୍ପୂର୍ଣ୍ଣ